ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଏକ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଅତିଥି ଭାବରେ ଗୋଟିଏ ମଞ୍ଚରେ ବସିବାରୁ କଂଗ୍ରେସ ଜିଲ୍ଲା ସମ୍ପାଦକ ଦେଶରାଜ ଜୁଆଡ଼ଙ୍କୁ ଦଳ ନିଲମ୍ବନ କରିଛି।

Advertisment

ସୂଚନା ଅନୁସାରେ, ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ଅର୍ତ୍ତଲ ପଞ୍ଚାୟତର କାନ୍ଦୁଲଝର ଗ୍ରାମରେ ଗତ ୧୪ ତାରିଖରେ ଏକ କ୍ରିକେଟ୍‌ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ଥିଲା। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଓ କଂଗ୍ରେସର ଜିଲ୍ଲା ସମ୍ପାଦକ ଦେଶରାଜ ଜୁଆଡ଼ ସମ୍ମାନିତ ଅତିଥି ଥିଲେ। ଦେଶରାଜ ଜୁଆଡ଼ଙ୍କ ନିଜ ଗାଁ କାନ୍ଦୁଲଝର ଅଟେ। ଏହି ଘଟଣା ପରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏ ନେଇ ସଦର ବ୍ଲକ୍‌ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା କଂଗ୍ରେସର ଉପସଭାପତି ଧନୁ ଗହୀର ଜିଲ୍ଲା ସଭାପତି ଭାରତ ବେମାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ତୀବ୍ର ଆନ୍ଦୋଳନ ଚାଲିଥିବାବେଳେ ଜଣେ ଜିଲ୍ଲା ‌କଂଗ୍ରେସର ପଦାଧିକାରୀ ମନ୍ତ୍ରୀଙ୍କ ସହିତ ଅତିଥି ଭାବରେ ଯୋଗ ଦେବାନେଇ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣାରେ ଶୁକ୍ରବାର କଳାହାଣ୍ଡି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ବେମାଲ ଏକ ଲିଖିତ ପ୍ରେସ୍‌ ବିବୃତ୍ତିରେ ଜିଲ୍ଲା କଂଗ୍ରେସ ସମ୍ପାଦକ ଦେଶରାଜ ଜୁଆଡ଼ଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି।

ଏହି ନିଲମ୍ବନ ଖବର ପ୍ରଚାରିତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।