ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ର ତିରୁଣା ପଞ୍ଚାୟତ ଅଧୀନସ୍ଥ ତେନ୍ତୋଇ ଗ୍ରାମରେ ଜଣେ ଦଳିତ ଯୁବତୀ ଅତ୍ୟାଚାରର ଶିକାର ‌େହାଇ ଆତ୍ମହତ୍ୟା କରିବା ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ବିବୃତି ରଖିଛନ୍ତି। ପୁଲିସ୍ ତଦନ୍ତରେ କୌଣସି ଅବହେଳା କରାଯାଇ ନାହିଁ ବୋଲି ସେ ଦର୍ଶାଇଛନ୍ତି। ପୁଲିସ୍‌ର ଠିକଣା ପଦକ୍ଷେପ ଯୋଗୁ ଅଭିଯୁକ୍ତ ଗିରଫ ହୋଇଛି ଓ ଅଧିକ ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଆଗୁଆ ପୁଲିସ୍‌ରେ ଏତଲା ଦିଆଯାଇଥିବା ନେଇ ଗଣମାଧ୍ୟମ ରିପୋର୍ଟକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ମିଶ୍ର ତାଙ୍କ ବିବୃତିରେ ଦର୍ଶାଇଛନ୍ତି, ‌େତନ୍ତୋଇ ଗ୍ରାମର ହଟକିଶୋର ଦାସଙ୍କ ପତ୍ନୀ ସାକୁଲି ଦାସଙ୍କ ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ଯୁବକ ଦୀପକ ବେଉରା ତାଙ୍କ ଝିଅକୁ ଏକ ପାଖିଆ ପ୍ରେମ କରିବା ସହ ବହୁତ ହଇରାଣ କରୁଥିଲା। ଏପରିକି ତାଙ୍କ ଝିଅର କିଛି ଆପତ୍ତିଜନକ ଫଟୋ ଉଠାଇ ତାଙ୍କ କାନ୍ଥରେ ଲଗାଉଥିଲା। ସେଥିପାଇଁ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ସାକୁଲି ଦାସଙ୍କ ରିପୋର୍ଟ ଭିତ୍ତିରେ ନୂଆଗାଁ ଥାନା ପକ୍ଷରୁ ଅଭିଯୁକ୍ତ ଦୀପକ ବେଉରା ବିରୋଧରେ ମାମଲା ରୁଜୁ ହେଲା। ତଦନ୍ତକାରୀ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିବାର ସଦସ୍ୟଙ୍କ ଉପସ୍ଥିତି‌େର ପଞ୍ଚନାମା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପ୍ରାଥମିକ ତଦନ୍ତରୁ ଦୀପକ ବେଉରା ବିରୋଧରେ ପ୍ରମାଣ ମିଳିଲା ପରେ ୯ ତାରିଖରେ ତା’କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛି। ଶବ ବ୍ୟବଚ୍ଛେଦରୁ ମଧ୍ୟ ମୃତ ଯୁବତୀ ଝୁଲିକି ଆତ୍ମହତ୍ୟା କରିଥିବା ରିପୋର୍ଟ ଆସିଛି। ସେ ଅନୁସୂଚିତ ଜାତିର ହୋଇଥିବାରୁ ତାଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ମଧ୍ୟ ଦିଅ‌ାଯାଇଛି। ଘଟଣା ଘଟିବା ପୂର୍ବରୁ ମୃତ ଯୁବତୀଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଥିବା ନେଇ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ତାହା ସତ ନୁହେଁ। ୭ ତାରିଖରେ ଘଟଣା ଘଟିବା ପରେ ଜଗତସିଂହପୁର ଏସ୍‌ଡିପିଓ ଓ ନୂଆଗାଁ ଆଇଆଇସି ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ। ମୃତକଙ୍କ ଶବ ସଂସ୍କାର ସେହି ଗ୍ରାମର ଦଶମାଣିଆ ମଶାଣିରେ ହୋଇଥିଲା। ବର୍ତ୍ତମାନ ଜଗତସିଂହପୁରର ଅତିରିକ୍ତ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଜଗତସିଂପୁର ଏସ୍‌ଡିପିଓ ଘଟଣାର ତଦନ୍ତ କରୁଛନ୍ତି। ତେବେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହି ବିବୃତିକୁ ‌େସ ଅଗ୍ରାହ୍ୟ କରୁଛନ୍ତି ବୋଲି ଗୃହରେ କହିଥିଲେ।