ସାନଖେମୁଣ୍ଡି ଓ ପୋଲସରାରେ କଂଗ୍ରେସ-ବାମ ମେଣ୍ଟର ପ୍ରଚାର : ରାଜ୍ୟ-କେନ୍ଦ୍ର ସଲାସୁତୁରାରେ ଚାଲିଛି ନାଟକ – ନିରଞ୍ଜନ

ପାଟପୁର/ପୋଲସରା : କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କୁ ବାର୍ଷିକ ୭୨ହଜାର ଟଙ୍କା ସହାୟତା ଦେବ। ଗ୍ରାମାଞ୍ଚଳର ବିକାଶ ସହ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ପାଇଁ କଂଗ୍ରେସ ପ୍ରାଥମିକତା ଦେବ। ‌କଂଗ୍ରେସ ଉପରେ ଅସ୍ଥା ପ୍ରକଟ କରି ଭୋଟ ଦେବାକୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଡେଙ୍ଗାଉସ୍ତାଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ‌ାବେଶରେ ‌ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପୋଲସରା ଷେ୍‌ଟଟବ୍ୟାଙ୍କ ନିକଟ ପଡ଼ିଆରେ ଆୟେ‌ାଜିତ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, କେନ୍ଦ୍ରରେ ବିଜେପି ଓ ଓଡ଼ିଶାର ବିଜେଡି ସରକାରର ମଧୁଚନ୍ଦ୍ରିକାରେ ଓଡ଼ିଶାର କୋଟି କୋଟି ଜନସାଧାରଣଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି। କେନ୍ଦ୍ରର ୫ ବର୍ଷର ଶାସନରେ ନୋଟବନ୍ଦୀ, ଚାକିରି ଲାଳସା, ଜମାଖାତାକୁ ଅର୍ଥ ପ୍ରେରଣ, ଶିଳ୍ପପତିଙ୍କ ଦଲାଲ ସାଜି ଭୋଟରଙ୍କ କାନକୁ ବଧିର କରି ନେତା ସାଜିଥିବା ପ୍ରଧାନମନ୍ତ୍ରୀ ତଥା ତାଙ୍କ ନେତୃତ୍ବାଧୀନ ସରକାରକୁ ସମୁଦ୍ରରେ ଫୋପାଡ଼ିଦିଅ। ସେହିପରି ୧୯ ବର୍ଷର ଶାସନରେ ସ୍ବର୍ଗତ ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଧୂଳିସାତ କରି ତାଙ୍କ ପୁତ୍ର ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟି, ବେକାରୀ ବଢ଼ାଇ ୫ ଟଙ୍କିଆ ଡାଲମା ଭାତ, ଟଙ୍କିକିଆ ଚାଉଳ, କାଳିଆ ଯୋଜନା କରି ଲୋକଙ୍କୁ କମ୍‌ଜୋର୍‌ କରାଇ ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ସାନ‌ଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଡେଙ୍ଗାଉସ୍ତାରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ସାନଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ଏବଂ ମିଳିତ ମେଣ୍ଟର ଆସିକା‌ ଲୋକସଭା ଆସନର ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ଭୋଟ ଦେବା ଲାଗି ନିବେଦନ କରିଥିଲେ। ସେ ତାଙ୍କ ଭାଷଣରେ କେନ୍ଦ୍ରର ବିଜେପ ସରକାର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ଏହି ସଭାରେ ସିପିଆଇର ଅଖିଳ ଭାରତ ସାଧାରଣ ସମ୍ପାଦକ ଅମରଜିତ କଅଁର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ବାଳ, ସିପିଆଇ ସାଧାରଣ ସମ୍ପାଦକ ପ୍ରକାଶ ପାତ୍ର, ପୂବତନ ବ୍ଲକ ଅଧ୍ୟକ୍ଷ ଜେ. ଜୟରାମ ପାତ୍ର, ସିପିଆଇ ନେତା ଅନନ୍ତ ମହାକୁଡ, ସିପିଆଇ ଜୋନାଲ ସମ୍ପାଦକ କୈଳାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ବାବୁଲା ଦୋରାଙ୍କ ସଭାପତିତ୍ବରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା।

ପୋଲସରା ନିର୍ବାଚନମଣ୍ଡଳୀରେ ମେଣ୍ଟର କଂଗ୍ରେସ ପ୍ରାର୍ଥୀ ହରିଚରଣ ସ୍ବାଇଁ ଏବଂ ସିପିଆଇର ଆସିକା ଲୋକସଭା ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ୧୮ ତାରିଖ ଦ୍ବିତୀୟ ପ୍ରର୍ଯ୍ୟାୟ ନିର୍ବାଚନରେ ଜିତାଇବା ପାଇଁ ନିବେଦନ କରିଥିଲେ। ଅଖିଳ ଭାରତୀୟ ଶ୍ରମିକ ସଂଘର ସର୍ବ ଭାରତୀୟ ସାଧାରଣ ସମ୍ପାଦିକା ଅମରଜିତ୍‌ କୌର କହିଥିଲେ, ନାରୀମାନେ ଆଜି ସୁରକ୍ଷିତ ନୁହଁନ୍ତି ଏହି ସରକାରଙ୍କ ଛତ୍ରଛାୟା ତଳେ। ଚିଟ୍‌ଫଣ୍ଡ୍‌ ଦଲାଲ୍‌ମାନେ ବର୍ତ୍ତମାନ ରାଜନେତା ସାଜିଛନ୍ତି। ମାଆ ଭଉଣୀଙ୍କ କଷ୍ଟ ଅର୍ଜିତ ସମ୍ପତ୍ତି ମଦ ମାଫିଆ ପୁରୁଷମାନଙ୍କ ଦ୍ବାରା ଟାଣି ନେଉଛନ୍ତି। ପୋଲସରା ଧନେଇ ପୋଲ ନିକଟରୁ କଂଗ୍ରେସ କର୍ମୀ ବିଶାଳ ରାଲିରେ ଶ୍ରୀ ପଟ୍ଟନାୟକଙ୍କୁ ସହର ପରିକ୍ରମା କରାଇ ସଭାସ୍ଥଳରେ ପହଞ୍ଚାଇଥିଲେ। ଆସିକା ଲୋକସଭା ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ହରିଚରଣ ସ୍ବାଇଁ କହିଥିଲେ ମାଆକୁ ସମ୍ମାନ ଦେବାକୁ ହେଲେ ପ୍ରଥମେ ମଦ ବନ୍ଦ କର, ଶିଳ୍ପ ସଂସ୍ଥା କରି ବେକାରୀଙ୍କୁ ଚାକିରି ଦିଅ, ରୋଜଗାରର ଦକ୍ଷା ବଢ଼ାଅ। ମଂଚରେ ବାମପନ୍ଥୀ ନେତା ସୌରୀବନ୍ଧୁ କର, ଅଳିକିଶୋର ପଟ୍ଟନୟକ, ପ୍ରଶାନ୍ତ ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର