ବାଲେଶ୍ୱରରେ କଂଗ୍ରେସର କୃଷକ ସମାବେଶ : କୃଷି ବିଲ୍‌ରେ କମ୍ପାନି, ପୁଞ୍ଜିପତିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି

ବାଲେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆଣିଥିବା ନୂତନ କୃଷିବିଲ୍‌ ହେଉଛି ଚାଷୀମାରଣ ବିଲ୍‌। ଏହି ବିଲ୍‌ରେ ବଡ଼ବଡ଼ କମ୍ପାନି ଓ ପୁଞ୍ଜିପତିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଆଜି ବାଲେଶ୍ବରଠାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗଦେଇ ଏହା କହିଛନ୍ତି ଦଳର ରାଜ୍ୟ ପ୍ରଭାରୀ ତଥା ବରିଷ୍ଠ ସାଂସଦ ଡକ୍ଟର ଏ.ଚେଲ୍ଲାକୁମାର।

ରାଜ୍ୟପ୍ରଭାରୀ ଚେଲ୍ଲାକୁମାରଙ୍କ ଗସ୍ତ ଅବସରରେ ଆଜି ବାଲେଶ୍ବରରେ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇପଡ଼ିଥିଲା। ପୂର୍ବାହ୍ନ ସାଢ଼େ ୧୨ଟାରେ ସେ କୁରୁଡ଼ା ଛକରେ ପହଞ୍ଚିବା ପରେ କୃଷକ କଂଗ୍ରେସ, ଆଇଟିଆଇ ଛକରେ ଯୁବ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମିଶନ୍‌ ପଡ଼ିଆରେ ସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା ହେବାରୁ ଶୋଭାଯାତ୍ରା ଅଧାରୁ ଅଟକିଥିଲା। ପରେ ଫାଣ୍ଡିଛକରେ ପଥପ୍ରାନ୍ତ ସଭା କରାଯାଇଥିଲା। ଏଥିରେ ଯୋଗଦେଇ ଚେଲ୍ଲାକୁମାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ମୋଦୀ ସରକାରଙ୍କ ନୂତନ କୃଷିବିଲ୍‌ ବିଲ୍‌ରେ ବଡ଼ ବଡ଼ କମ୍ପାନି ଓ ପୁଞ୍ଜିପତିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଆଜି ସାରାଦେଶରେ ଚାଷୀ ଏହି ବିଲ୍‌ ବିରୋଧରେ ସ୍ବର ଉଠାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେଣୁ ସେମାନଙ୍କର ଲଢ଼େଇ କଂଗ୍ରେସର ଲଢ଼େଇ। ଓଡ଼ିଶାରେ କଂଗ୍ରେସ ସରକାର ସମୟରେ ଚାଷୀକୁଳର ଅଦ୍ଭୁତପୂର୍ବ ଉନ୍ନତି ହୋଇଥିଲା। କୃଷି, ଶିଳ୍ପ ସାଙ୍ଗକୁ ଜଳସେଚନ ବ୍ୟବସ୍ଥାକୁ ମଜବୁତ କରାଯାଇଥିଲା। ହେଲେ ଦୀର୍ଘ ୨୧ ବର୍ଷ ଧରି ଏଠାରେ ଶାସନ କରୁଥିବା ନବୀନ ସରକାର ଚାଷୀ ତଥା କୃଷିକ୍ଷେତ୍ରକୁ ଘୋର ଅବହେଳା କରିଛନ୍ତି। ଆଗାମୀ ଦିନରେ ଏହାର ଜବାବ ଦେବାକୁ ପଡ଼ିବ ବୋଲି ଚେଲ୍ଲାକୁମାର କହିବା ସହିତ ଉଭୟ ନବୀନ ଓ ମୋଦୀ ସରକାର ଉପରେ ପ୍ରବଳ ବର୍ଷିଥିଲେ।

କୋରାପୁଟ ସାଂସଦ ସପ୍ତଗିରି ଉଲାକା ଚିଟ୍‌ଫଣ୍ଡରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ବରବାସୀଙ୍କୁ ଏ ପର୍ଯ୍ୟନ୍ତ ସେହି ଟଙ୍କା ସବୁ ମିଳିଛି କି ବୋଲି ସେ ପ୍ରଶ୍ନ କରିଥିଲେ। ବରିଷ୍ଠ ବିଧାୟକ ତଥା ବାଲେଶ୍ବର ପର୍ଯ୍ୟବେକ୍ଷକ ତାରାପ୍ରସାଦ ବାହିନୀପତି ଓଡ଼ିଶାକୁ କେନ୍ଦ୍ର-ରାଜ୍ୟର ଅବହେଳା ନେଇ ବିଷୋଦ୍‌ଗାର କରିଥିଲେ। ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଥିଲେ, ଓଡ଼ିଶାରେ ୪ ନମ୍ବର ଜିଲ୍ଲା ଭାବେ ବାଲେଶ୍ବରକୁ ଗଣାଯାଏ। ଏତେବର୍ଷ ଧରି ବାଲେଶ୍ବରବାସୀ ଯେଉଁ ଦଳକୁ ଶାସନ କ୍ଷମତାରେ ବସାଇଛନ୍ତି, ସେହି ଦଳ ବାଲେଶ୍ବରରେ କୃଷି, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ ତଥା ବେକାର ଯୁବକଙ୍କୁ ରୋଜଗାର ଦେବାରେ କି ବ୍ୟବସ୍ଥା କରିଛି କି ବୋଲି ପ୍ରଶ୍ନ କରିଥିଲେ।

 

ଦଳର ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସମାବେଶରେ ସଭାପତିତ୍ବ କରିଥିଲେ। ‌ସେ କହିଥିଲେ, ବାଲେଶ୍ବର ହେଉଛି ସଂଗ୍ରାମ ଓ ଲଢ଼େଇର ମାଟି। ଏ‌ ମାଟିରେ କଂଗ୍ରେସ ଶାସନର ସ୍ବର୍ଣ୍ଣିମ ଇତିହାସ ରହିଛି। ହଜାରେ ଦିନରେ ହଜାରେ ଶିଳ୍ପ ଏହି ମାଟିରୁ ହିଁ ଆରମ୍ଭ ହୋଇଥିଲା। ‌କୃଷି, ଶିକ୍ଷା‌ ଏବଂ ନିଯୁକ୍ତିରେ ଅପୂର୍ବ ସୁଯୋଗ ମିଳିଥିଲା। ଏବେ ଯୁବକଙ୍କ ହାତରେ କାମ ନାହିଁ, ଚାଷୀକୁ ତାର ହକ୍‌ ମିଳୁନାହିଁ। ବିର୍ଲା ଟାୟାର୍ସ, ଆଲଏଜ୍‌ ଭଳି ବଡ଼ ଶିଳ୍ପାନୁଷ୍ଠାନ ବନ୍ଦ ହେବା ଉପରେ। ଅପରପକ୍ଷେ, ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ବାଲେଶ୍ବର ଜିଲ୍ଲାବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ କରିପାରିଲେ ନାହିଁ। ଉଭୟ ସରକାର ଗରିବ, ଚାଷୀ, ଛାତ୍ର, ଯୁବକ ଓ ମହିଳା ବିରୋ‌ଧୀ। ତେଣୁ ଆଗାମୀ ଉପନିର୍ବାଚନରେ ବାଲେଶ୍ବରବାସୀ ତାର ଦୃଢ଼ ଜବାବ ଦେବାକୁ ସେ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ମହିଳା ନେତ୍ରୀ ସୁଶୀଳା ତିରିଆ, ସୁଦର୍ଶନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଭୋଗରାଇର କଂଗ୍ରେସ ନେତା ସତ୍ୟଶିବ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର