କେନ୍ଦ୍ର ବିରୋଧରେ କଂଗ୍ରେସର କିଷାନ ଅଧିକାର ଦିବସ ସମାବେଶ

ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରାଜଭବନ ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୁଲିସ
ଆଗାମୀ ଦିନରେ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ: ନିରଞ୍ଜନ

ଭୁବନେଶ୍ବର : ପେଟ୍ରୋଲ୍‌, ଡିଜେଲ୍‌ର ଅହେୁତକ ଦରବୃଦ୍ଧି ଓ ୩ଟି କୃଷି ଆଇନ ବିରୋଧରେ ଏଆଇସିସି ଡାକରାରେ ସାରା ଦେଶରେ ଆଜି କଂଗ୍ରେସ କିଷାନ ଅଧିକାର ଦିବସ ପାଳନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ରାଜଭବନ ସମ୍ମୁଖରେ ବିଶାଳ ସମାବେଶ କରାଯାଇ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଦଳୀୟ ନେତା। ପରେ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ରାଜଭବନ ଘେରାଉ ପାଇଁ ହଜାର ହଜାର ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ପାଓ୍ବାର ହାଉସ ଛକରୁ ଶୋଭାଯାତ୍ରାରେ ଆସି ରାଜଭବନ ଗୋଲେଇ ପାଖରେ ପହଞ୍ଚିବା ପରେ ପୁଲିସ ଅଟକାଇବାରୁ କିଛି ସମୟ ପାଇଁ ପୁଲିସ ଓ କଂଗ୍ରେସ କର୍ମୀଙ୍କ ଭିତରେ ଠେଲାପେଲା ହୋଇଥିଲା। ତେବେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏପରି ଷଡ଼ଯନ୍ତ୍ର ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ଆଗାମୀ ଦିନରେ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତସ୍ତରରେ ଦଳ ସଚେତନତା ସୃଷ୍ଟି କରିବ।

ଶ୍ରୀ ପଟ୍ଟନାୟକ କହିଥିଲେ, କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି। ଏବେ ଯେପରି ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି ତାହା ଦେଶର ୭୩ ବର୍ଷ ଇତିହାସରେ ପ୍ରଥମ। ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଉପରେ ଲିଟର ପିଛା ୯ ଟଙ୍କା ୨୦ ପଇସା ଶୁଳ୍କ ବୃଦ୍ଧି କରି ବର୍ତ୍ତମାନ ୩୨ ଟଙ୍କା ୯୮ ପଇସାରେ ପହଞ୍ଚାଇଛନ୍ତି। ଯାହାକି ୨୫୮% ଅଧିକ। ସେହିଭଳି ଡିଜେଲ ଉପରେ ଶୁଳ୍କ ଲିଟର ପ୍ରତି ୩ ଟଙ୍କା ୪୬ ପଇସା ବୃଦ୍ଧି କରି ବର୍ତ୍ତମାନ ୩୧ ଟଙ୍କା ୮୩ ପଇସାରେ ପହଞ୍ଚିଛି। ଯାହାକି ୮୨୦% ଅଧିକ। ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ କମି ୫୦ ଡଲାରରେ ପହଞ୍ଚିଲାଣି ସେତେବେଳେ ମୋଦୀ ସରକାର ଏପରି ଦର ବୃଦ୍ଧି କରି ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲ୍‌ରୁ ଆଦାୟ କରିଛନ୍ତି। ଫଳରେ କୃଷକ ଓ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଖାଲିସେତିକି ନୁହେଁ, କେନ୍ଦ୍ରର ୩ଟି କଳା କୃଷି ଆଇନ ପାରିତ କରାଇବାରେ ବିଜେଡି କିପରି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଥିଲା ସେ ନେଇ ଉଭୟ ବିଜେଡି ଓ ବିଜେପିକୁ ମଧ୍ୟ ଶ୍ରୀ ପଟ୍ଟନାୟକ ସମାଲୋଚନା କରିଥିଲେ। ଏସବୁ କଳା ଆଇନ ପ୍ରତ୍ୟାହାର ନ ହେବା ଯାଏ ଦଳ ଚୁପ ବସିବ ନାହିଁ। ଆଗାମୀ ଦିନରେ ଏହି ଉଭୟ ଦଳର ଜନବିରୋଧୀ ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କଂଗ୍ରେସ ଗାଁ ଗାଁକୁ ଯିବ। ଜିଲ୍ଲା ସ୍ତରରେ ସମାବେଶ କରି ଲୋକଙ୍କୁ ସଚେତନ କରିବା ସହିତ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ ଏପରି କାର୍ଯ୍ୟକ୍ରମ କରିବାକୁ ଦଳ ସ୍ଥିର କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ମଣିପୁର, ମିଜୋରାମ୍‌ ଓ ବିହାର ପ୍ରଭାରୀ ଭକ୍ତ ଦାସ ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାର ଏ ଦେଶର ଚାଷୀମାନଙ୍କ ପ୍ରତି ଷଡ଼ଯନ୍ତ୍ର କରିଛନ୍ତି। ୩ଟି କୃଷି ଆଇନ ପ୍ରଣୟନ କରି ଆଦାନି ଓ ଆମ୍ବାନି ପରି ବଡ଼ ବଡ଼ କମ୍ପାନିମାନଙ୍କ ହାତକୁ ଚାଷ ଜମି ସବୁ ଟେକିଦେବାକୁ ଯୋଜନା କରିଛନ୍ତି। ସମାବେଶ ପରେ ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ଦଳ ଓ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ପାଓ୍ବାର୍‌ ହାଉସ ଛକରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲେ। ପ୍ରତିନିଧି ଦଳରେ ଏଆଇସିସି ସମ୍ପାଦକ ଜି.ରୁଦ୍ରରାଜୁ, ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ୍‌, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ବର ବେହେରା, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିଲ ନଓ୍ବାଜ୍‌, ପଦ୍ମାକର ଗୁରୁ, ଅଜୟ ସାମଲ, ମନ୍ମଥ ରାଉତରାୟ ପ୍ରମୁଖ ସାମିଲ ଥିଲେ। ସେହିଭଳି ଘେରାଉ କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଉମାବଲ୍ଲଭ ରଥ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ରାଜ କିଶୋର ଷଡ଼ଙ୍ଗୀ, ଅଜିତ ମଙ୍ଗରାଜ, ମନୋଜ ରାଉତ, ଜ୍ଞାନଦେବ ବେଉରା ଓ ଅନ୍ୟନେତୃବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର