ଆଳି ଆସନ ବଜାୟ ପାଇଁ କଂଗ୍ରେସର ସଂଘର୍ଷ, ବିଜେଡିରୁ ପ୍ରତାପ ନା ନୂଆ ମୁହଁ ?

କେନ୍ଦ୍ରାପଡା, (ଭୈରବ ବ୍ରହ୍ମା): କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ନିର୍ବାଚନମଣ୍ଡଳୀକୁ ବିଜେଡି ପୁଣିଥରେ ନିଜ କବ୍‌ଜାକୁ ଆଣିବାରେ ସକ୍ଷମ ହେବ କି? ଏଥରକ ବିଜେଡି କାହାକୁ ପ୍ରାର୍ଥୀ କରିବ? ଏହିଭଳି ପ୍ରଶ୍ନ କେବଳ ସାଧାରଣ କର୍ମୀ ନୁହନ୍ତି, ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି। ଏହି ଅଣସଂରକ୍ଷିତ ଆସନଟି ୬ ଥର କଂଗ୍ରେସ ହାତରେ ଓ ୮ଥର ଅଣ-କଂଗ୍ରେସ ଦଳର ଅକ୍ତିଆରରେ ରହିଛି। ବିଶେଷକରି, ଆଳିର ରାଜପରିବାର ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବା ଦେଖିବାକୁ ମିଳିଛି। ୧୯୫୧ ମସିହାଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରତି ନିର୍ବାଚନରେ ରାଜପରିବାରୁ କେହିନା କେହି କିମ୍ବା ଉତ୍ତରାଧିକାରୀ ସୂତ୍ରରେ ପ୍ରାର୍ଥୀ ହୋଇ ଆସୁଛନ୍ତି। ତାଙ୍କ ସହିତ ଅନ୍ୟ କେହି ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି। ଗତ ୨୦୧୪ ମସିହା ନିର୍ବାଚନର ଫଳାଫଳ ରାଜପରିବାରର ବିପକ୍ଷରେ ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ବିଜେଡିରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରତାପ କେଶରୀ ଦେଓଙ୍କୁ ୫୯୮୫ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। କୁହାଯାଏ, ୨୦୦୯ ମସିହା ନିର୍ବାଚନର ଏହା ହେଉଛି ବଦଲା। ୨୦୦୯ ମସିହାରେ ହୋଇଥିବା ମୁକାବିଲାରେ ପ୍ରତାପ ୫୯୮୫ ଭୋଟରେ ବିଜୟୀ ହୋଇଥିଲେ ଏବଂ ଦେବେନ୍ଦ୍ରଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଚଳିତ ନିର୍ବାଚନରେ କେଉଁ ଦଳରେ କିଏ ପ୍ର‌ାର୍ଥୀ ହେଉଛନ୍ତି, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପ୍ରତାପ ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ବ ନିର୍ବାଚନ କରୁଛନ୍ତି। ଚଳିତ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହେବେ କି ନାହିଁ, ତାହାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ରହିଛି। ଯଦି ପ୍ରତାପ ପ୍ରାର୍ଥୀ ନହୁଅନ୍ତି, ଦଳରୁ ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବେ, ତାହାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛିା। ୨୦୧୪ ମସିହାରେ ପରାସ୍ତ ହେବା ପୂର୍ବରୁ ପ୍ରତାପ ୨୦୦୦, ୨୦୦୪ ଓ ୨୦୦୯ରେ ହ୍ୟାଟ୍ରିକ୍ ବିଜୟ ଲାଭ କରିଥିଲେ। ଦଳରେ ତାଙ୍କୁ ଏକମାତ୍ର ନେତା ଓ ପ୍ରଥମ ଦାବିଦାର୍‌ ବୋଲି କୁହାଯାଉଛି। କଂଗ୍ରେସରୁ ବିଧାୟକ ଦେବେନ୍ଦ୍ର ଶର୍ମା ପ୍ରାର୍ଥୀ ହେବା ଏକପ୍ରକ‌ାର ନିଶ୍ଚିତ। ତେବେ, ବିଗତ ୫ ବର୍ଷରେ ଦେବେନ୍ଦ୍ର ବିରୋଧୀ ଶିବିରରେ ରହି ଯେତିକି ବିକାଶ କାମ ହାତକୁ ନେଇଥିଲେ, ତାହା ଆଳି ରାଜକନିକା ପାଇଁ ଯଥେଷ୍ଟ ନୁହଁ। ଅନେକ ସମୟରେ ବିରୋଧୀ ଦଳରେ ଥିବାରୁ ବଡ଼ ପ୍ରକଳ୍ପ କାମ କିଛି ହାତକୁ ନେଇ ହେଲା ନାହିଁ। ସେଥିପାଇଁ ତାଙ୍କ ବିରୋଧରେ ଥିବା ଜନମତ ବିଜେଡିକୁ ସୁହାଇବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ବିଜେପିରୁ କି ଏ ପ୍ରାର୍ଥୀ ହେବେ, ତାହାକୁ ନେଇ ମଧ୍ୟ ଆଲୋଚନା ଦାନା ବାନ୍ଧିବାରେ ଲାଗିଛି। ୧୯୮୫ ଓ ୧୯୯୫ରେ ଦୁଇଥର କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିବା ଦୋଳଗୋବିନ୍ଦ ନାୟକ ଏଥର ବିଜେପି ଶିବିରରେ। ତେବେ, କିିନ୍ତୁ ନିକଟରେ ଦୋଳଗୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏକ ସଂକଳ୍ପ ସମାବେଶରେ କମ୍ ସଂଖ୍ୟକ ଲୋକ ଜମା ହେବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ ଖପ୍ପା ହୋଇଛନ୍ତି। ତେଣୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ। ୨୦୦୯ ଓ ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭ‌ାବେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିବା ବ୍ରଜସୁନ୍ଦର ଭୂୟାଁ , ରାଜ୍ୟ ମହିଳା ମୋର୍ଚ୍ଚାର ଉପ ସଭାପତି ସୁଜାତା ବାରିକ, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସଂଘ ପରିବାରର ପୁରୁଣା ସଦସ୍ୟ ସଂଜୟ ବେଉରା ଟିକେଟ ଆଶାୟୀ ଥିବା ଜଣାପଡ଼ିଛି। ତେବେ, କଂଗ୍ରେସ ଆଳି ଆସନ ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର