ଆଜି ଦିଲ୍ଲୀରେ କଂ‌ଗ୍ରେସ ସ୍କ୍ରିନିଂ କମିଟି ଓ ସିଇସି ବୈଠକ : ରାହୁଲ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ!, କିଏ ରହିବେ, କିଏ କଟିବେ?

ନୂଆଦିଲ୍ଲୀ/ଭୁବନେଶ୍ବର : ଶନିବାର ଦିଲ୍ଲୀ ୧୦ ଜନପଥରେ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିବ। ୨୪ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକରେ ଅଧ୍ୟକ୍ଷତା କରିବେ କଂଗ୍ରେସ ଜାତୀୟ ସଭାପତି ରାହୁଲ ଗାନ୍ଧୀ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରାଜ୍ୟ କଂଗ୍ରେସ ସଭାପତି ଓ ପ୍ରଭାରୀମାନେ ଯୋଗଦେବେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶନିବାର ଓଡ଼ିଶା କଂଗ୍ରେସ ନିମନ୍ତେ ସ୍କ୍ରିନିଂ କମିଟିର ଶେଷ ବୈଠକ ବି ବସିବ। ଏହି ବୈଠକରେ ଶେ‌ଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ବିଚାର ବିମର୍ଶ ହେବ। ଏହା ସହିତ ଯେଉଁ ଲୋକସଭା ଓ ବିଧାନସଭା ଆସନଗୁଡ଼ିକରେ ଏକାଧିକ ପ୍ରାର୍ଥୀଙ୍କ ନାମ ରହିଛି, ସେଠାରେ ଜଣେ ଜଣେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ସେମାନଙ୍କ ନାମ ସିଇସିକୁ ସୁପାରିସ କରାଯିବ।

ନିକଟରେ ମହିଳା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକେଟ୍‌ ପ୍ରଦାନ କରାଯିବ ବୋଲି ଜୟପୁରରେ ଅନୁଷ୍ଠିତ ପରିବର୍ତନ ସଂକଳ୍ପ ସମାବେଶରେ ରାହୁଲ ଘୋଷଣା କରିଥିଲେ। ଏହି ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇ ମହିଳା ପ୍ରାର୍ଥୀ ତାଲିକାର ରୂପରେଖ ଚୂଡ଼ାନ୍ତ ହେବ। ପ୍ରାର୍ଥୀ ଚୟନ କସରତ ପରେ ସ୍କ୍ରିନିଂ କମିଟି ତରଫରୁ ପ୍ରାର୍ଥୀମାନଙ୍କ ଚୂଡ଼ାନ୍ତ ତାଲିକା ସିଇସିକୁ ପଠାଯିବ। ସେହି ତାଲିକା ଆଧାରରେ ସନ୍ଧ୍ୟା ସୁଦ୍ଧା ଅନ୍ତତଃ ପକ୍ଷେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିପାରନ୍ତି ରାହୁଲ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟ କଂଗ୍ରେସର ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବାର ସମ୍ଭାବନା ଅଧିକ। ଏହି ସୂଚନା ମୁତାବକ ମହିଳା ପ୍ରାର୍ଥୀଙ୍କ ପ୍ରତିନିଧିତ୍ବ ପ୍ରସଙ୍ଗ ଅଡ଼ୁଆ ସୃଷ୍ଟି କରିଛି। ଇତି ମଧ୍ୟରେ ନିର୍ବାଚନ ହେବାକୁ ଥିବା ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟର ଲୋକସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି। କିନ୍ତୁ ମହିଳା ପ୍ରାର୍ଥୀମାନଙ୍କୁ ସାମିଲ କରାଯିବା ପ୍ରସଙ୍ଗ ଉଠିବାରୁ ସେହି ତାଲିକାରେ କିଛି ପରିବର୍ତନ ଘଟିପାରେ। ଓଡ଼ିଶାରେ କଂଗ୍ରେସ ପ୍ରାୟ ୫ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବ ବୋଲି ଚର୍ଚା ଜୋର ଧରିଛି।

ମିଳିଥିବା ସୂଚନାନୁସାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ବର ଲୋକସଭା ଆସନ ନିମନ୍ତେ ଏକମାତ୍ର ପ୍ରାର୍ଥୀ ଭାବେ ନବଜ୍ୟୋତି ପଟ୍ଟନାୟକଙ୍କ ନାମକୁ ଚୂଡ଼ାନ୍ତ କରାଯାଇଛି। ଭଦ୍ରକ ଲୋକସଭା ଆସନ ପାଇଁ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚା ହେଉଥିଲା। କିନ୍ତୁ ସେହି ଆସନ ପାଇଁ ସ୍କ୍ରିନିଂ କମିଟି ଶ୍ରୀ ସେଠୀଙ୍କ ପୁତ୍ର ଚିରଞ୍ଜୀବ କିମ୍ବା ପଞ୍ଚାନନ ମଣ୍ଡଳଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ ଚୟନ କରି ସୁପାରିସ କରିପାରେ। ଯାଜପୁର ଲୋକସଭା ଆସନରେ ଜଣେ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରାଇବା ସପକ୍ଷରେ ସ୍କ୍ରିନିଂ କମିଟି ବିଚାର କରୁଛି। ଏହା ପୂର୍ବରୁ ସେହି ଆସନରେ ମାନସ ଜେନା କିମ୍ବା ଅର୍ଜୁନ ଚରଣ ଦାସଙ୍କୁ ପ୍ରାର୍ଥୀ କରାଇବାକୁ ଚର୍ଚା ହୋଇଥିଲା। ଘନ ଘନ ବଦଳୁଥିବା ପରିସ୍ଥିତି ଓ ସମୀକରଣକୁ ଦୃଷ୍ଟିରେ ରଖି କମିଟି ଶେଷ ମୁହୂର୍ତରେ ନିଷ୍ପତ୍ତି ନେବ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସ୍କ୍ରିନିଂ କମିଟିର ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ବୈଠକରେ ୪୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ ହେବ। ପ୍ରାରମ୍ଭିକ ଆଲୋଚନାରେ ଏଥିମଧ୍ୟରୁ ଅଧିକାଂଶ ଆସନରେ ପ୍ରାର୍ଥୀମାନଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇସାରିଛି। କିନ୍ତୁ କିଛି ଆସନ ପାଇଁ ଅଙ୍କ ଛିଣ୍ଡି ପାରୁନାହିଁ। ତେବେ ଯେଉଁ ବିଧାନସଭା ଆସନଗୁଡ଼ିକରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ଆଗରେ ଅଛି, ସେହି ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଭଦ୍ରକରୁ ନଳିନୀକାନ୍ତ ମହାନ୍ତି, ଆନନ୍ଦପୁରରୁ ଜୟଦେବ ଜେନା, ଆଳିରୁ ଦେବେନ୍ଦ୍ର ଶର୍ମା, ବାଲେଶ୍ବରରୁ ମାନସ ଦାସପଟ୍ଟନାୟକ, ବାସୁଦେବପୁରରୁ ଅଶୋକ ଦାସ, ସୁକିନ୍ଦା- ଶରତ ରାଉତ, ଜଳେଶ୍ବର-ସୁଦର୍ଶନ ଦାସ, କୋରେଇ-ବନ୍ଦିତା ପରିଡ଼ା, କାକଟପୁର-ବିଶ୍ବଭୂଷଣ ଦାସ, ନିମାପଡ଼ା-ସତ୍ୟବ୍ରତ ସାହୁ, ଜଗତ୍‌ସିଂହପୁର-ଚିରଞ୍ଜୀବ ବିଶ୍ବାଳ, ରେମୁଣା-ତୁଷାରକାନ୍ତ ତପସ୍ବୀ, ଭଣ୍ଡାରିପୋଖରୀ-ନିରଞ୍ଜନ ପଟ୍ଟନାୟକ, ଧର୍ମଶାଳା-ସ୍ମୃତିରେଖା ପହି, ଧାମନଗର-ବିଦ୍ୟାଧର ଜେନା ପ୍ରମୁଖ।

ମୟୂରଭଞ୍ଜ ଲୋକସଭା ଆସନ ଏବଂ ଏହା ସହିତ ଅନ୍ୟ ୨ଟି ବିଧାନସଭା ଆସନ ପାଇଁ ଝାଡ଼ଖଣ୍ଡ ମୁକ୍ତିମୋର୍ଚା(ଜେଏମ୍‌ଏମ୍‌) ସହିତ କଂଗ୍ରେସର ବୁଝାମଣା ହୋଇଛି। ଏଣୁ, ସେହି ଆସନଗୁଡ଼ିକୁ ଜେଏମ୍‌ଏମ୍‌ ପାଇଁ ଛାଡ଼ିଦେଇଛି କଂଗ୍ରେସ। ଲୋକସଭା ଆସନରେ ଜେଏମ୍‌ଏମ୍‌ ପ୍ରାର୍ଥୀ ସୁପ୍ରିମୋ ଶିବୁ ସୋରେନ୍‌ଙ୍କ ଝିଅ ଅଞ୍ଜଳି େସାରେନ୍ ଲଢ଼ିବେ। ଲୋକସଭା ଆସନ ସହିତ ବାଙ୍ଗିରିପୋଷୀ, ଯଶୀପୁର ଓ ଉଦଳା ବିଧାନସଭା ଆସନରେ ଜେଏମ୍‌ଏମ୍‌ ଲଢ଼ିବା ଏକପ୍ରକାର ନିଶ୍ଚିତ। କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃବୃନ୍ଦ ସ୍କ୍ରିନିଂ କମିଟି ଓ ଜାତୀୟ ନେତୃବୃନ୍ଦଙ୍କ ନିକଟରେ ଏହି ନିଷ୍ପତ୍ତିର ବିରୋଧ କରାଯାଇଥିଲା। କିନ୍ତୁ ଜାତୀୟ ସ୍ତରରେ ଜେଏମ୍‌ଏମ୍‌ ସହିତ କଂଗ୍ରେସର ଆସନ ବୁଝାମଣା ହୋଇଥିବାରୁ ସେମାନଙ୍କ ପାଇଁ ଆଉ‌ କୌଣସି ବିକଳ୍ପ ନାହିଁ ବୋଲି ସେମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର