ଭୁବନେଶ୍ବର : ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ଜମି ଜବରଦଖଲ ସହ ହଡ଼ପ ଘଟଣାର ତଥ୍ୟ ଅନୁସନ୍ଧାନ କରିବ ରାଜ୍ୟ କଂଗ୍ରେସ। ଏନେଇ ସଭାପତି ଶରତ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। କମିଟିରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷ ଭାବେ ରହିଥିବା ବେଳେ ସଦସ୍ୟଭାବେ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସିଏସ ରାଜନ ଏକ୍କା, ଦାଶରଥି ଗମାଙ୍ଗ ଓ ପିସିସି ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ ପ୍ରମୁଖ ରହିଛନ୍ତି।
ଏହି କମିଟି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଭିଯୋଗମାନଙ୍କର ତଦନ୍ତ କରି ଉଭୟ ସଂପ୍ରଦାୟର ଜମି ସୁରକ୍ଷା ନିମନ୍ତେ ନିର୍ଦ୍ଦିଷ୍ଟ ସୁପାରିଶ ପିସିସି କାର୍ଯ୍ୟାଳୟରେ ପ୍ରଦାନ କରିବେ। କମିଟିର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନେ ସେମାନଙ୍କୁ ସହଯୋଗ କରିବା ପାଇଁ ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଥିବା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।