କଂଗ୍ରେସ ପ୍ରତିଷ୍ଠା ଦିବସରେ ଗୁରୁମନ୍ତ୍ର ଦେଲେ ନେତା : ଛତିଶଗଡ଼ ଢାଞ୍ଚାରେ ଲଢ଼ିବେ

୧୯’ ପାଇଁ ତିଆରି ହେଲା ରଣନୀତି, ୮ରେ ରାଜ୍ୟବ୍ୟାପୀ ଚାଷୀ ବିକ୍ଷୋଭ

ଭୁବନେଶ୍ବର : ୨୦୧୯ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଖସଡା ପ୍ରସ୍ତୁତ କରିଛି। ଏଥିପାଇଁ ଛତିଶଗଡ଼ ମଡେଲ୍‌କୁ ଓଡ଼ିଶା ଆପଣାଇବ। ପୂର୍ବରୁ ଘୋଷିତ କୃଷିଋଣ ଛାଡ଼ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୫୦୦ ଟଙ୍କା, ବାର୍ଧକ୍ୟ ଭତ୍ତା ୩୦୦ ଟଙ୍କାରୁ ୧ ହଜାରରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଆଦି ନିଷ୍ପତ୍ତି ସହିତ ବେକାରୀ ଭତ୍ତା ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିବ େଲାକଙ୍କ ସାମ୍ନାରେ। ସେହିପରି ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ପ୍ରସଙ୍ଗକୁ ବି କଂଗ୍ରେସ ନୀତିଗତ ଭାବେ ସମର୍ଥନ ଯୋଗାଇଦେବ।

ଆଜି ଭାରତୀୟ ଜାତୀୟ କ˚ଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜୋନାଲ୍‌ ସଭାପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ୩ଜଣ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ ପ୍ରମୁଖ ଦଳୀୟ କର୍ମକର୍ତାମାନଙ୍କୁ ଉଦ୍‌ବୋଧନ ଦେଇ ଦଳର ଏଭଳି ରଣନୀତି ସଂପର୍କରେ ସୂଚାଇଥିଲେ। ରାଜ୍ୟର ପ୍ରାୟ ୮୫୨ ଜୋନ୍‌ ସଭାପତି, ପୌରାଞ୍ଚଳ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତା ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ବସ୍ତୁତଃ ୨୦୧୯ ନିର୍ବାଚନ ନିମନ୍ତେ ପ୍ରଦେଶ କଂଗ୍ରେସର ରଣନୀତି ଉପରେ ଆଲୋଚନା ହୋଇଥିଲା। ପିସିସି ସଭାପତି ଗୁରୁମନ୍ତ୍ର‌ ଦେଇ ଆଗାମୀ ନିର୍ବାଚନରେ ଓଡ଼ିଶା କଂଗ୍ରେସ ଛତିଶଗଡ଼ରେ ଯେପରି କଂଗ୍ରେସ ଦଳ ବିଜୟୀ ହୋଇଛି, ସେହି ରାସ୍ତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ଆହ୍ବାନ େଦଇଥିଲେ।

ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ, ଛତିଶଗଡ଼ରେ ଯେଉଁଭଳି କଂଗ୍ରେସ ସରକାର ଶପଥପାଠ କରିବାର ଅଳ୍ପ କିଛି ସମୟ ମଧ୍ୟରେ କୃଷିଋଣ ଛାଡ଼, ଧାନର ଏମ୍‌ଏସ୍‌ପି ୨୫୦୦ ଟଙ୍କା ଘୋଷଣା କରି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ, ଓଡ଼ିଶା ସେହି ମଡେଲ୍‌ ଆପଣାଇବ। ଏହା ପୂର୍ବରୁ ପ୍ରତ୍ୟେକ ଚାଷୀଙ୍କ ପାଇଁ ସୋଲାର ପମ୍ପ, ୫ ବର୍ଷ ଧର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଦେଶ‌ ଭଳି ଓଡ଼ିଶାରେ ଚାଷୀ ସମସ୍ୟା ଉତ୍କଟ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପ୍ରସଙ୍ଗ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌କୁ ସମର୍ଥନ କରିବା ପାଇଁ କଂଗ୍ରେସ ନୀତିଗତ ଭାବେ ନିଷ୍ପତ୍ତି ନେଇଛି।

ଆଗାମୀ ୮ ତାରିଖରେ ବିଜେଡି ପକ୍ଷରୁ ନୂଆଦିଲ୍ଲୀରେ ଧାନର ଏମ୍‌ଏସ୍‌ପି ନେଇ ରୢାଲି କରାଯିବ। ସେହିଦିନ ହିଁ କଂଗ୍ରେସ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଷୀ ବିକ୍ଷୋଭମାନ କରାଯିବ। କଂଗ୍ରେସର ନିର୍ବାଚନ ଅଭିଯାନ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ଏହା ଆହୁରି ଜୋରଦାର ହେବ। ବିଶେଷ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ଆଗରେ ଖୋଲିବ କଂଗ୍ରେସ ଦଳ। କେବଳ ସେତିକି ନୁହେଁ, ରାଜ୍ୟରେ ବେକାରି ଦୂର କରିବା ପାଇଁ କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଆଦି ଜିଲ୍ଲାରେ ରେଳ କାରଖାନାମାନ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯିବ। ଏହା ବାହାରେ ବେକାରୀ ଭତ୍ତା ପ୍ରଦାନ କରିବାକୁ ଦଳ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ମିଶ୍ର କହିଥିଲେ।

କଂଗ୍ରେସରେ ବିଶୃଙ୍ଖଳା ଦଳକୁ ଦୁର୍ବଳ କରୁଛି ଦର୍ଶାଇ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କଂଗ୍ରେସ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା କରୁଛି ସେଥିପାଇଁ ବ୍ୟାପକ ଅର୍ଥ ଆବଶ୍ୟକ ହେବ। ଏଥିପାଇଁ ସଂଜୀବ ହୋତା କମିଟି ସୁପାରିସ ଅନୁଯାୟୀ ଖଣିଗୁଡ଼ିକୁ ସରକାର ହାତକୁ ନେବା ସହିତ ଖଣିଜ ଜମି ଉପରେ ଟିକସ ବସାଗଲେ ବର୍ଷକୁ ପ୍ରାୟ ୭୦ ହଜାର କୋଟିର ରାଜସ୍ବ ମିଳିପାରିବ ବୋଲି ବିରୋଧୀ ଦଳ ନେତା କହିଥିଲେ। ଏହାବ୍ୟତୀତ, ମାସକ ମଧ୍ୟରେ ପ୍ରତି ଜୋନ୍‌ସ୍ତରରେ ପ୍ରାୟ ୫୦୦ ନୂଆ ସଭ୍ୟ ସଂଗ୍ରହ, ଆଗାମୀ ୫ ତାରିଖ ସୁଦ୍ଧା ବାକି ଥିବା ବୁଥ୍‌ କମିଟି ଗଠନ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର