ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ

ଚିରଞ୍ଜୀବଙ୍କ ନେତୃତ୍ବରେ କମିଟି ଗଠିତ: ନିରଞ୍ଜନ
ବିଜେଡି କହିଲା ସମୟ ଆସିଲେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ
ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାକୁ ନେଇ ବିଜେପି ଆଶାବାଦୀ

ଭୁବନେଶ୍ୱର : ବାଲେଶ୍ୱର ସଦର ବିଧାନସଭା ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହୋଇନି। କିନ୍ତୁ ଏବେଠୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଦୁଇଟି ଆସନରେ ଉପନିର୍ବାଚନ ହେବା ନିଶ୍ଚିତ ଥିବାରୁ ଦଳ ପକ୍ଷରୁ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଦୁଇଟି କମିଟି ଗଠନ କରାଯାଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ କଂଗ୍ରେସର ପ୍ରସ୍ତୁତିକୁ ନେଇ ବିଜେଡି ବିଧାୟକ ତଥା ଜଳ ସମ୍ପଦ ମନ୍ତ୍ରୀ ଟାର୍ଗେଟ କରିଥିବାବେଳେ ବିଜେପି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଯୋଗୁ ଏହି ଦୁଇଟି ଆସନରେ ବିଜୟୀ ହେବ ବୋଲି ଆଶା ବାନ୍ଧିଛି।

ସୋମବାର ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆସନ୍ତା ଅଳ୍ପ ଦିନ ଭିତରେ ଏହି ଦୁଇଟି ଆସନରେ ଉପନିର୍ବାଚନ ହେବ। ପିସିସି ପକ୍ଷରୁ ଗଠିତ ହୋଇଥିବା କମିଟି ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଭାବେ ଏହି ଉପନିର୍ବାଚନକୁ ପରିଚାଳନା କରିବ। ଦଳ ପକ୍ଷରୁ ପ୍ରାଥମିକ ସ୍ତରରେ ଏହି ପଦକ୍ଷେପ ନିଆଯାଇଛି ଆଗକୁ ଦଳର ନେତାମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯିବା ନେଇ ନିଷ୍ପତ୍ତି ନିଆଯିବ। ତିର୍ତ୍ତୋଲ ଦାୟିତ୍ବ ଦଳର ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଦିଆଯାଇଥିବାବେଳେ ବାଲେଶ୍ବର ଦାୟିତ୍ବ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦିଆଯାଇଛି। ତେବେ କଂଗ୍ରେସର ଏହି ଉଦ୍ୟମକୁ ବିଜେଡି ସମାଲୋଚନା କରିଛି। ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଅଭିଯୋଗ କରି କହିଛନ୍ତି, କଂଗ୍ରେସରେ ଗୋଷ୍ଠୀ କନ୍ଦଳ ରୋକିବାକୁ ବାହାନା କରି କମିଟି ଗଠନ କରାଯାଇଛି। ଆଗକୁ ଗୋଷ୍ଠୀ କନ୍ଦଳ କଂଗ୍ରେସରେ ଉଗ୍ର ରୂପ ନେବ। ଏବେସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ତିର୍ତ୍ତୋଲ ବିଧାୟକ ସ୍ବର୍ଗତଃ ବିଷ୍ଣୁ ଦାସଙ୍କ ଦଶାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ବିଜେଡି ଏବେଠାରୁ ସେ ସମ୍ପର୍କରେ ଚିନ୍ତା ବି କରିନାହିଁ। କିଏ ଦଳର ପ୍ରାର୍ଥୀ ହେବ ସେ ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ପୂର୍ବରୁ ପ୍ରାର୍ଥୀ ଚୟନ ନେଇ ଯାହା ମାନଦଣ୍ଡ ଥିଲା ସେହି ଅନୁଯାୟୀ ଚୟନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟପଟେ ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ କହିବା କଥା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଏହି ଉପନିର୍ବାଚନ କାମ ଦେବ। ଦଳ ଭିତରେ ଏ ନେଇ ଆଲୋଚନା ହୋଇଛି। ଯେବେ ନିର୍ବାଚନ କମିସନ ତାରିଖ ଘୋଷଣା କରିବେ ତାପରେ ଯାଇ ପ୍ରାର୍ଥୀ ଘୋଷଣା କରାଯିବ।

ସୂଚନାଥାଉକି, ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ଥିବା ସ୍ବର୍ଗତ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେଡି ବିଧାୟକ ସ୍ବର୍ଗତଃ ଦାସଙ୍କ ବିୟୋଗ ପରେ ଏହି ଦୁଇଟି ଆସନ ଖାଲିପଡ଼ିଛି।

ସମ୍ବନ୍ଧିତ ଖବର