ଭୁବନେଶ୍ୱର: ଏଠାରେ କେହି ବଡ଼ କି ଛୋଟ ନେତା ନାହାନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡ଼ିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ସମସ୍ତ ନେତା ଓ କର୍ମୀ ଏହି ଧାରା ଅବ୍ୟାହତ ରଖନ୍ତୁ। ୨୦୨୯ରେ ଆମେ ନିଶ୍ଚିତ ସରକାର ଗଠନ କରିବା। ଆଜି ଏହିଭଳି ଢଙ୍ଗରେ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ସମସ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ ବାର୍ତ୍ତା ଦେଇଛନ୍ତି। ଆଉ କଂଗ୍ରେସ ଓଡ଼ିଶାରେ ସରକାର ଗଠନ କରିବା ପାଇଁ କିପରି ଆଗକୁ ବଢ଼ିବ ସେନେଇ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୃଜନ ବୈଠକରେ ପିସିସି କାର୍ଯ୍ୟକର୍ତ୍ତା, ସମସ୍ତ ବିଭାଗ, ଛାମୁଆ ସଂଗଠନ ଓ ସେଲ୍ର ମୁଖ୍ୟ ତଥା ସଂଗଠନ ସୃଜନ ଅଭିଯାନରେ ଦାୟିତ୍ୱ ନିଭାଇଥିବା ପିସିସି ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି ଶ୍ରୀ ବେଣୁଗୋପାଳ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ୍ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା? ଅକ୍ଟୋବର ୨ରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ପଦଯାତ୍ରା ବର୍ଷବ୍ୟାପୀ ଚାଲିବା। ଏହା ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ଓଡ଼ିଶାରେ ସୃଜନ ପ୍ରକ୍ରିୟାରେ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହେବ। ସେହିପରି ଗୁଜୁରାଟରେ ହୋଇଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଶୈଳୀରେ ଓଡ଼ିଶା କଂଗ୍ରେସ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରିବ।
ସେପ୍ଟେମ୍ୱର ୩୦ ସୁଦ୍ଧା କଂଗ୍ରେସର ନୂଆ ଜିଲ୍ଲା ସଭାପତି ଘୋଷଣା
ଅକ୍ଟୋବର ୨ରୁ ସାରା ରାଜ୍ୟରେ ବର୍ଷବ୍ୟାପୀ ପଦଯାତ୍ରା
ଏହି ଅବସରରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ସମ୍ବୋଧନ କରି ସେ କହିଥିଲେ, ଏବେ ଜନସାଧାରଣଙ୍କ ଦୃଷ୍ଟିରେ ଓଡ଼ିଶାରେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଉଛି। ଦଳର ନେତା ଓ କର୍ମୀମାନେ ପରିଶ୍ରମ କଲେ ଉଭୟ ବିଜେପି - ବିଜେଡିକୁ ହରାଇବା ସମ୍ଭବ। ପ୍ରତି ତିନି ମାସରେ ଥରେ ନବନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ କାର୍ଯ୍ୟ ସମୀକ୍ଷା କରାଯିବ। ଅକ୍ଟୋବର ମାସରେ କଂଗ୍ରେସ ସମସ୍ତ ବ୍ଲକରେ ପହଞ୍ଚିବ। ନଭେମ୍ବର - ଡିସେମ୍ବରରେ ଭୋଟ ଚୋରି ପ୍ରସଙ୍ଗକୁ ତୃଣମୂଳ ସ୍ତର ଯାଏ ପହଞ୍ଚାଇବା ସହ ବୁଥ୍ କମିଟି ଗଠନ କାର୍ଯ୍ୟ ସାରିବାକୁ ସେ କହିଛନ୍ତି। ପିଏସି ବୈଠକରେ ଅଧ୍ୟକ୍ଷତା କରି ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, କଂଗ୍ରେସ ଏବେ ରାଜ୍ୟରେ ଉଠୁଛି। ଓଡ଼ିଶାରେ ପିସିସି ଯେଉଁ ଗତିରେ କାମ କରୁଛି, ସେହି ଧାରା ଅବ୍ୟାହତ ରହିଲେ ୨୦୨୯ରେ ଆମକୁ ରୋକିବା ଅସମ୍ଭବ ହେବ। ପିସିସି ସଭାପତି ଭକ୍ତ ଦାସ କହିଥିଲେ, ସଂଗଠନ ସୃଜନରେ ଅଗଣିତ କଂଗ୍ରେସ ନେତା ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ବୃଥା ଯିବ ନାହିଁ। ଆସନ୍ତା ଅକ୍ଟୋବର ୨ରୁ ବର୍ଷବ୍ୟାପୀ ପଦଯାତ୍ରାରେ ଭାଗ ନେବାକୁ ସେ ଦଳର ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ପିଏସି ବୈଠକରେ ମହମ୍ମଦ ମୋକିମ୍, ନଗେନ୍ଦ୍ର ନାଥ ପ୍ରଧାନ, ସୁଶୀଳା ତିରିଆ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ସୋଫିଆ ଫିର୍ଦୋସ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲାକା ଓ ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇ ଅନେକ ପ୍ରସ୍ତାବ ରଖିଥିବା ବେଳେ ମୀନାକ୍ଷୀ ବାହାନିପତି ଓ ରଞ୍ଜିତ ପାତ୍ର ଯଥାକ୍ରମେ ମହିଳା କଂଗେସ ଓ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଦେଇଥିଲେ। ସୃଜନ ବୈଠକରେ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୃଜନ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସହ ଅଧ୍ୟକ୍ଷ ସୁଧାଂଶୁ ଦେଓ ଧନ୍ୟବାଦ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମକୁ ଓଡ଼ିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ସଂଯୋଜନା କରିଥିଲେ।