ବେଙ୍ଗାଲୁରୁରେ ଡ୍ରମ୍‌ରୁ ତିନି ମହିଳାଙ୍କ ଶବ ମିଳିବା ପରେ ସିରିୟଲ୍‌ କିଲିଂ ଅଭିଯୋଗ ଆଣିଲା କଂଗ୍ରେସ

ବେଙ୍ଗାଲୁରୁ : ସୋମବାର ବେଙ୍ଗାଲୁରୁ ରେଳ ଷ୍ଟେସନ ନିକଟରୁ ଏକ ପ୍ଲାଷ୍ଟିକ୍ ଡ୍ରମ୍ ଭିତରେ ଜଣେ ମହିଳାଙ୍କ ଶବ ଥିବା ଜଣାପଡ଼ିବା ପରେ ସହରରେ ସିରିୟଲ କିଲିଂର ଅଭିଯୋଗ ଆଣିଛି କଂଗ୍ରେସ। ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟର ବିଜେପି ସରକାରକୁ ନିଶାଣ କରିଛି କଂଗ୍ରେସ।

ଗତ ଡିସେମ୍ବର ମାସରୁ ଅଦ୍ୟାବଧି ଡ୍ରମ୍‌ଗୁଡ଼ିକରୁ ତିନୋଟି ମୃତଦେହ ମିଳିଲାଣି। ଶେଷ ମୃତଦେହଟି ସୋମବାର ଦିନ ୧୦ଟାରୁ ୧୧ଟା ଭିତରେ ବେଙ୍ଗାଲୁରୁର ବୈୟାପ୍ପାନାହାଲି ରେଳ ଷ୍ଟେସନର ପ୍ରବେଶ ଫାଟକ ନିକଟରୁ ମିଳିଛି। ଡ୍ରମ୍‌ ଭିତରେ ଶବ ସହ ଲୁଗାପଟା ଭର୍ତ୍ତି କରି ଘୋଡ଼ଣି ଦେଇ ବନ୍ଦ କରାଯାଇଥିଲା।
ପୁଲିସ କହୁଛି ସେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଦେଇଛି। ଏ ମହିଳା ଜଣକ ହେଉଛନ୍ତି ୨୭ ବର୍ଷୀୟା ତମନ୍ନା, ଯାହାଙ୍କୁ ତାଙ୍କ ଦିଅର ହତ୍ୟା କରିଛି। ତମନ୍ନା ବିହାରର ଆରଡ଼ିଆ ନିବାସୀ ତାଙ୍କ ସ୍ବାମୀ ଆଫ୍ରୋଜଙ୍କୁ ଛାଡ଼ି ଜଣେ ସମ୍ପର୍କୀୟ ଇନ୍ତେକ୍ବାବ ସାଙ୍ଗରେ ପଳାଇ ଆସିଥିଲେ। ଉଭୟେ ବେଙ୍ଗାଲୁରୁରେ ରହୁଥିଲେ।

ଆଫ୍ରୋଜର ଭାଇ କମଲ ସାଙ୍ଗମାନଙ୍କ ସହଯୋଗରେ ଫେବ୍ରୁଆରି ୧୨ ତାରିଖରେ ତମନ୍ନାଙ୍କୁ ହତ୍ୟା କରି ଶବକୁ ଡ୍ରମ୍‌ରେ ପୂରାଇ ରେଳଷ୍ଟେସନ ପାଖରେ ପାକାଇ ଦେଇଥିବା ପୁଲିସ ପ୍ରକାଶ କରିଛି। ସେମାନେ ଏକ ଅଟୋରିକ୍ସାରେ ଆସି ଡ୍ରମ୍‌କୁ ପକାଇଥିଲେ, ଯାହା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।
ପୁଲିସ କହିଛି, ପୂର୍ବ ମାମଲା ସହ ଏହାର କିଛି ସମ୍ପର୍କ ନାହିଁ। ତେଣୁ ଏହା ସିରିୟଲ କିଲିଂ ନୁହେଁ। କିନ୍ତୁ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ଟ୍ବିଟ୍ କରି କହିଛନ୍ତି, ତିନିଜଣ ମହିଳାଙ୍କ ଶବ ରେଳଷ୍ଟେସନ ନିକଟରୁ ଡ୍ରମ୍ ଭିତରୁ ମିଳିଲା। ଏଥିରୁ ସିରିୟଲ କିଲିଂର ଆଭାସ ମିଳୁଛି। ରାଜ୍ୟ ବିଜେପି ସରକାର ଆଇନଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର