ବିଜେଡି-ବିଜେଡି ଲଢ଼େଇରେ ବଳି ପଡ଼ିଗଲା କଂଗ୍ରେସ: ତାରା

ପ୍ରଣବଙ୍କ ଆଧିପତ୍ୟ କମାଇବାକୁ କଂଗ୍ରେସ ଲୋକଙ୍କୁ କିଣିଥିଲେ ବିଜେଡି ନେତା

ଭୁବନେଶ୍ବର : ଧାମନଗର ଉପ-ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ପ୍ରଦର୍ଶନକୁ ନେଇ ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଧାମନଗରରେ ବିଜେଡି-ବିଜେଡି ଲଢ଼େଇରେ କଂଗ୍ରେସ ବଳି ପଡ଼ିଗଲା ବୋଲି ତାରା କହିଛନ୍ତି। ବିଜୁ ଜନତା ଦଳର କିଛି ନେତା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପତିଆରା କମାଇବା ପାଇଁ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ଫଣ୍ଡିଂ କଲେ। ତେଣୁ ଆମ ଭୋଟ୍‌ ସେମାନଙ୍କ ଆଡ଼କୁ ପଳାଇଲା। କଂଗ୍ରେସକୁ ମିଳିବାକୁ ଥିବା ୮-୧୦ହଜାର ଭୋଟ୍‌ କମିଗଲା। ତେବେ ବିଜେଡିର କେଉଁ ନେତା ପ୍ରଣବଙ୍କ ବିରୋଧରେ ଯାଇ ଏମିତି କାମ କରିଥିବା ସଂପର୍କରେ ତାରା କିଛି ସ୍ପଷ୍ଟ କରିନାହାନ୍ତି।

ତାରା କହିଛନ୍ତି ଯେ ବିଜେଡିର ଉଭୟ ବରିଷ୍ଠ ଓ କନିଷ୍ଠ ନେତା ଏଥିରେ ସାମିଲ ଅଛନ୍ତି। କିଏ ବିଜେପିକୁ ଭୋଟ୍ ଦେଲା ତ ଆଉ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲା। ହେଲେ କଂଗ୍ରେସ ପ୍ରତି ଲୋକଙ୍କ ଯେଉଁ ସ୍ନେହ, ଶ୍ରଦ୍ଧା ଓ ଯେଉଁମାନେ ଆମକୁ ଭୋଟ୍ ଦେଇଥାନ୍ତେ ତାକୁ ସେମାନେ ରୋକିଦେଲେ। କଂଗ୍ରେସ ପାଖ‌ରେ ଟଙ୍କା ନ ଥିବାରୁ ଆମେ ସବୁ ନିର୍ବାଚନରେ ପଛରେ ରହିଯାଉଛୁ। ହେଲେ ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସର ସ୍ଥିତି ଭିନ୍ନ ରହିବ। ସେଠାରେ ଦଳ ୧ ନମ୍ବର ରହିବ। ପଦ୍ମପୁରରେ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ ଗତ ନିର୍ବାଚନରେ ୩୨ହଜାର ଭୋଟ୍ ପାଇଥିଲେ। ସେଠାରେ ତାଙ୍କର ଦବ୍‌ଦବା ରହିଛି। ସେଠି କଂଗ୍ରେସ ଭୋଟ୍ କେହି ନେଇପାରିବେ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ଖାଲି ପଡ଼ିଛି। ଆସନ୍ତାମାସ ୫ତାରିଖରେ ଏହି ଉପ-ନିର୍ବାଚନ ହେବ। ୮ତାରିଖରେ ଭୋଟ୍‌ ଗଣତି ହେବ।

ସମ୍ବନ୍ଧିତ ଖବର