ଭୁବନେଶ୍ୱର: କଂଗ୍ରେସ ଦଳର ସତ୍ତା ଏବେ ହଜିବାରେ ଲାଗିଛି। ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି। ଯେଉଁଥିପାଇଁ ଏବେ ଛୋଟ ଛୋଟ ଆଞ୍ଚଳିକ ଦଳକୁ ଆଶାବାଡ଼ି କରି ଚାଲିବାକୁ ଉଦ୍ୟମ କରୁଛି। ତଥାପି ପ୍ରକୃତି ଛାଡ଼ୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜି ସମ୍ମିଳନୀ ପାଇଁ ଆମ ରାଜ୍ୟରେ ୩ ଦିନ ରହିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଆଗାମୀ ଦିନରେ ଓଡ଼ିଶାର ବିକାଶରେ ଏହା ଏକ ନୂଆ ଫର୍ଦ୍ଦ ହୋଇ ଯୋଡ଼ି ହେବାକୁ ଯାଉଛି। ମାତ୍ର କଂଗ୍ରେସ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ୩ଟି ଖରାପ ତତ୍ତ୍ବ କଂଗ୍ରେସର ଜିନ୍କୁ ଏବେ ପଶି ଆସଛି। ସେଗୁଡ଼ିକ ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ। କଂଗ୍ରେସ ଦଳ ସୁଧୁରିଯାଉ ନହେଲେ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦେଶ ସ୍ୱାଧୀନତା ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ପୁଲିସ ଡିଜି, ଆଇଜି, ବିଭିନ୍ନ ସୁରକ୍ଷା ବାହିନୀର ମୁଖ୍ୟମାନେ ଯୋଗଦେଇଛନ୍ତି।
ବୈଠକରେ ଦେଶର ଆଇନଶୃଙ୍ଖଳା ପରିସ୍ଥିତିକୁ କିପରି ଅଧିକ ଉନ୍ନତ କରାଯାଇପାରିବ, ଅପରାଧ ନିୟନ୍ତ୍ରଣ ହୋଇପାରିବ ସେନେଇ ଆଲୋଚନା ଚାଲିଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଓ ତାର ଛାମୁଆ ସଙ୍ଗଠନଗୁଡ଼ିକର ବାଚାଳାମି ଆରମ୍ଭ ହୋଇଛି। ଏଥରୁ ଅନୁମାନ ହେଉଛି କି କଂଗ୍ରେସ ଦଳର ଜିନ୍ରେ ଖରାପ ଗୁଣବତ୍ତା ପଶିବା ଆରମ୍ଭ କରିଛି। ଜଣେ ଲୋକର ଚରିତ୍ର ପରବର୍ତ୍ତନ ହେଲେ ଯେପରି ବିଲକ୍ଷଣ ଦେଖିବାକୁ ମିଳେ, ଠିକ୍ ସେଭଳି ଏବେ କଂଗ୍ରେସରେ ଦେଖିବାକୁ ମିଳୁଛି। କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଦେଶ ବିରୋଧୀ ତତ୍ତ୍ବ ହେବାକୁ ଆରମ୍ଭ କରିଛି। ବିଦେଶରେ ଯଦି କେହି ଦେଶ ବିରୋଧୀ କଥା କହୁଛନ୍ତି, ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି ଓ ଦେଶର ବିକାଶ ବିରୋଧରେ କହୁଛନ୍ତି ତେବେ ତାହା କଂଗ୍ରେସକୁ ସୁହାଉଛି। ଏଭଳି ଟିପ୍ପଣୀକୁ ନେଇ କଂଗ୍ରେସ ଦେଶରେ ଆନ୍ଦୋଳନ କରି ଜନସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି। ଦେଶର କୌଣସି ବିକାଶର କଥା ଉଠିଲେ ଏହାର ପ୍ରତିଟି ପର୍ଯ୍ୟାୟକୁ ବିରୋଧ କରୁଛି। କଂଗ୍ରେସ ଦଳ ଏବେ ଲୋକ ବିରୋଧୀ ହୋଇଯାଇଛି। ଦେଶ ଏବଂ ଓଡ଼ିଶାର ଲୋକ କ’ଣ ଚାହୁଁଛନ୍ତି ସେଥିପ୍ରତି କଂଗ୍ରେସ ଦଳର ନଜର ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।