ଭୁବନେଶ୍ବର: ବିଧାନସଭାରେ ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ବଦଳରେ ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ବହୁଦିନ ହେବ ହାଇଡ୍ରାମା କରାଯାଉଛି। ୭ ମାର୍ଚ୍ଚରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହ୍ୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତ୍ତ୍ବେ ନିଲମ୍ବନ କଲେ। ମାତ୍ର ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ନ ଚଳାଇଦେବା ଲାଗି ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଞ୍ଚେଇବା ପାଇଁ ଆସନ୍ତାକାଲି ଆନ୍ଦୋଳନ ଡାକରା ଦେଇଛି।

Advertisment

ଦିନକୁ ଖର୍ଚ୍ଚ ହେଉଛି କୋଟିଏ, ବିଶୃଙ୍ଖଳା କରି ଲୋକଙ୍କ ଟଙ୍କାକୁ ବରବାଦ କରୁଛି କଂଗ୍ରେସ
ନିଜର ଅସ୍ତିତ୍ବ ବଞ୍ଚାଇବା ଲାଗି ବିଧାନସଭା ଘେରାଉ ଡାକରା

ବିଧାନସଭାରେ ଗୁଣ୍ଡାରାଜ, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗାଣତନ୍ତ୍ରିକ। ଏହି ଆଚରଣ ପାଇଁ କଂଗ୍ରେସକୁ ଓଡ଼ିଶା ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ରାଜ୍ୟ ସରକାର ଆଲୋଚନା କରିବା ପାଇଁ ସ୍ପଷ୍ଟ ଭାବେ କହିଛନ୍ତି। ମାତ୍ର ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି। କଂଗ୍ରେସ ଯେଉଁ ଗୃହ କମିଟି ଗଠନ ପାଇଁ ଦାବି କରୁଛି, ସେଥିରେ କୌଣସି ଯୌକ୍ତିକତା ନାହିଁ। ବିଧାନସଭାର ନିୟମ କହୁଛି କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ। କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏ ନାହିଁ। ଯାହା କି କଂଗ୍ରେସର ସଦସ୍ୟମାନେ ଭଲ ଭାବେ ଜାଣିଛନ୍ତି। କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହକୁ ଅଚଳ କରିବାକୁ ପରିକଳ୍ପନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ନାହାନ୍ତି। କିନ୍ତୁ ତା’ ଅର୍ଥ ନୁହେଁ ଯେ ଉତ୍ତର ବାହାରେ ମାଗିବେ ଓ ବିଧାନସଭାରେ ଗଣ୍ଡଗୋଳ କରିବେ ? କଂଗ୍ରେସକୁ ଛତ୍ରଛାୟା ତଳେ ଘୋଡ଼ାଇ ରଖିଛି ପ୍ରମୁଖ ବିରୋଧୀ ଦଳ ବିଜେଡି। ତାଙ୍କ ସମୟରେ ଇତିଶ୍ରୀ, ବେବିନା, ପରୀ, ପିହୁ, ସ୍ମିତାରାଣୀ ଭଳି ମହିଳା ଅପରାଧ କଥା କହିଲେ ତାଙ୍କର ପିଏଚ୍‌ଡି ହେବ। ତତ୍କାଳୀନ ସରକାର ସମୟରେ ପୁଲିସ ବିଭାଗକୁ ଅବହେଳିତ କରି ରଖା ଯାଇଥିଲା। ୧୬ ହଜାର  ପଦବି ଖାଲି ପଡ଼ିଥିଲା। ମିଛ ମାମଲା ଲଗାଇ ବିଜେପି କର୍ମୀଙ୍କୁ ଗିରଫ କରୁଥିଲେ। ଏଭଳି କ୍ଷେତ୍ରରେ ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି। 

ପ୍ରତିଦିନ ବିଧାନସଭା ଚଳାଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବାହାର ସୁରକ୍ଷା ବ୍ୟବସ୍ଥାକୁ  ମିଶାଇଲେ ଦିନକୁ କୋଟିଏ ଟଙ୍କା। କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ୍‌ କରୁଛି। ଗତକାଲି ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା କର୍ମଚାରୀଙ୍କୁ ଆକ୍ରମଣ କଲେ। ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ। ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି। ତା’ ପରେ ଯାଇ ବିଧାନସଭା କର୍ମଚାରୀ ତାଙ୍କୁ ବାହାରକୁ ବାହାର କରିଥିଲେ। କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।