ଭୁବନେଶ୍ବର : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପ୍ରଚାର ‌ମଇଦାନଙ୍କୁ ଓହ୍ଲାଇବାକୁ ପ୍ରାର୍ଥୀ ଅଣ୍ଟା ଭିଡ଼ିଲେଣି। କଂଗ୍ରେସ ପକ୍ଷରୁ ୪୦ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଓ ଯୁବ ନେତା ‌କହ୍ନେୟା କୁମାର କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର କରିବେ। ତେବେ ବ୍ରଜରାଜନଗର ନିର୍ବାଚନ ଜିତିବା ପାଇଁ ତୃଣମୂଳସ୍ତରରେ କଠିନ ପରିଶ୍ରମ କରିବାକୁ ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆସନ୍ତାକାଲିଠାରୁ ରାଜସ୍ଥାନର ଜୟପୁରଠାରେ କଂଗ୍ରେସର ଚିନ୍ତନ ବୈଠକ ଆରମ୍ଭ ହେଉଛି। ବୈଠକରେ ଯୋଗଦେବା ଲାଗି ଯିବା ଅବସର‌ରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବ୍ରଜରାଜନଗର ପୂର୍ବରୁ କଂଗ୍ରେସର ଗଡ଼ ରହିଥିଲା। ତେଣୁ ଏହାକୁ ପୁଣିଥରେ ଅକ୍ତିଆର କରିବାକୁ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ୪୦ଜଣିଆ ପ୍ରଚାର ତାଲିକାରେ ଛତିଶଗଡ଼ର କିଛି ମନ୍ତ୍ରୀଙ୍କୁ ଏଥିରେ ସାମିଲ କରାଯାଇଛି। ଯେହେତୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ସାମନ୍ତ ରାଜ୍ୟ ଛତିଶଗଡ଼କୁ ଲାଗିଛି। ତେଣୁ ଛତିଶଗଡ଼ ମନ୍ତ୍ରୀଙ୍କ ପ୍ରଚାର ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ଏଆଇସିସିର ଚିନ୍ତର ବୈଠକ ପାଇଁ ପିସିସି ସଭାପତିଙ୍କ ସମେତ ବିଧାୟକ ଦଳ ନେତା ଓ ଏଆଇସିସିର ସଦସ୍ୟମାନଙ୍କୁ ଡାକରା ମିଳିଛି।