୧୧ ତାରିଖରେ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଜାରି ଥିବା ସମୟରେ ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ଚାଲିଛନ୍ତି। କେତେକ ଅଞ୍ଚଳରେ ଦର ୧୦୦ ଟଙ୍କା ଟପିଲାଣି। ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ଆସନ୍ତା ୧୧ ତାରିଖରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଧାରଣା ଦେବ। ଆଜି ଏକ ପ୍ରେସ୍‌ ବିବୃତି ଜାରି କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଧାରଣା ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଧାରଣା ସମୟରେ କୋଭିଡ-୧୯ ନୀତି ନିୟମକୁ ଅନୁପାଳନ କରିବା ପୂର୍ବକ ଯଥା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବ୍ୟାନର, ପ୍ଲାକାର୍ଡ଼ରେ ଦରବୃଦ୍ଧି ଓ ଗରିବ ରୋଜଗାର ହରାଇଥିବା ସମ୍ପର୍କିତ ସ୍ଲୋଗାନ୍‌ ଲେଖି ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୫ ମାସ ମଧ୍ୟରେ ୪୩ ଥର ତେଲ ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି କାର୍ଯ୍ୟକ୍ରମକୁ ସଫଳ କରି ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସ୍ତରରେ ଅବିଳମ୍ବେ ଜିଲ୍ଲା କଂଗ୍ରେସ ସଭାପତିମାନେ ପ୍ରସ୍ତୁତି ବୈଠକ ଡାକି ସମସ୍ତ ନେତୃମଣ୍ଡଳୀ, ବିଧାୟକଗଣ ଓ ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ଓ ପିସିସି ସଦସ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି। ସମସ୍ତ କଂଗ୍ରେସ ନେତୃମଣ୍ଡଳୀ,କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ଘରୁ ବାହାରିବା ସମୟରେ ସାଇକେଲ, ରିକ୍ସା, ବଳଦଗାଡି, ଟ୍ରଲି ଅବା ଚାଲି ଚାଲି ବିକ୍ଷୋଭ ସ୍ଥଳରେ ପହଞ୍ଚିବାକୁ ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର