ମାଲକାନଗିରିରେ ପ୍ରତ୍ୟାବର୍ତ୍ତନ କଲା ବିଜେଡି
ନବରଙ୍ଗପୁରରେ ଶାସକଦଳର ଏକତରଫା ବିଜୟ
ମମିତା ମେହେରଙ୍କ ବଡ଼ବାପା ବିଜୟୀ
ଜୟପୁର : ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ କଂଗ୍ରେସ କଡ଼ା ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ ମାଲକାନଗିରି ଜିଲ୍ଲାରେ ବିଜେଡି ସମସ୍ତ ୫ଟି ଜୋନ୍ରେ ଆଗୁଆ ରହିଛି। ନବରଙ୍ଗପୁର ଜିଲ୍ଲାରେ ବି ବିଜେଡି ଏକତରଫା ଅଗ୍ରଣୀ ରହିଥିବା ଖବର ମିଳିଛି।
ଗତକାଲି ଅଧିକାଂଶ ସ୍ଥାନରେ ଫଳାଫଳ ବାହାରିବା ବେଳକୁ ବିଳମ୍ବ ହୋଇଥିଲା। ରବିବାର ସକାଳୁ ସକାଳୁ ଗତକାଲି ଗଣତି ହୋଇଥିବା ରାୟଗଡ଼ା ଜିଲ୍ଲାର ୧୧ଟି ଜିଲ୍ଲା ପରିଷଦ ଜୋନ୍ର ସଂପୂର୍ଣ୍ଣ ତଥ୍ୟ ମିଳିଥିଲା। ବିଜେଡି ୯ଟି ଜୋନ୍ ଦଖଲ କରିଛି। ସେହିପରି ଦୁଇଟି ଜୋନ୍ କଂଗ୍ରେସ ଅକ୍ତିଆରକୁ ଯାଇଛି। ଆଜି ଜିଲ୍ଲାର ୯ଟି ଜୋନ୍ର ଭୋଟ ଗଣତି ଚାଲିଥିବା ବେଳେ ଶେଷ ଖବର ସୁଦ୍ଧା ବିଜେଡି ୫ଟି ଜୋନ୍ରେ ଆଗୁଆ ରହିଥିଲା। ୪ଟି ଜୋନ୍ରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଥିଲେ। ଆହୁରି କିଛି ରାଉଣ୍ଡ ଗଣତି ବାକି ରହିଥିବାରୁ ଫଳାଫଳ ସାମାନ୍ୟ ଏପଟସେପଟ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ନୂଆ ମୋଡ଼ ନେଇଛି ପଞ୍ଚାୟତ ରାଜନୀତି। ଗତକାଲି ୧୪ଟି ଜୋନ୍ରେ ଗଣତି ହୋଇଥିବା ବେଳେ ସର୍ବାଧିକ ୮ଟି ଜୋନ୍ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୫ଜୋନ୍ ଦଖଲ ସହ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। ପଟାଙ୍ଗି ବ୍ଲକ୍ର ଜୋନ୍-୧ରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ହୋଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଆଜି ବି ୧୩ଟି ଜୋନ୍ରେ ଗଣତି ଚାଲିଥିବା ବେଳେ ଶେଷ ଖବର ସୁଦ୍ଧା ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ତଥ୍ୟ ହସ୍ତଗତ ହୋଇଛି। ୭ଟି ଜୋନ୍ରେ ବିଜେଡି ଆଗରେ ରହିଥିବା ବେଳେ ୬ଟି ଜୋନ୍ରେ ଅଗ୍ରଣୀ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ। ତେବେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ବେଳକୁ ବିଳମ୍ବିତ ରାତି ହେବ ବୋଲି କୁହାଯାଉଛି। ଆଜି ରାତିରେ ହିଁ କେଉଁ ଦଳ ଜିଲ୍ଲା ପରିଷଦ ଗଠନ କରିବ ନିର୍ଣ୍ଣାୟକ ହେବ ବୋଲି ଜଣାପଡ଼ିଛି। କାରଣ ଆସନ୍ତାକାଲି ଜିଲ୍ଲାର ମାତ୍ର ଦୁଇଟି ଜୋନ୍ରେ ଭୋଟ ଗଣତି ରହିଛି।
ମାଲକାନଗିରି ଜିଲ୍ଲାରେ କିନ୍ତୁ ବିଜେଡି ପ୍ରତ୍ୟାବର୍ତ୍ତନ କରିଛି। ଗତକାଲି ଗଣତି ହୋଇଥିବା ୭ଟି ଜୋନ୍ ମଧ୍ୟରୁ ୬ଟି ଜୋନ୍ରେ ବିଜେଡି ବିଜୟୀ ହୋଇଛି। କେବଳ ଚିତ୍ରକୋଣ୍ଡାର ଜୋନ୍-୧ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆଜି ୫ଟି ଜୋନ୍ରେ ଗଣତି ଚାଲିଥିବା ବେଳେ ସମସ୍ତ ଜୋନ୍ରେ ବିଜେଡି ଆଗରେ ରହିଥିବା ସୂଚନା ମିଳିଛି। ଆସନ୍ତାକାଲି ମାଥିଲି, କାଲିମେଳା ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଲେଖାଏଁ ଜୋନ୍ରେ ଗଣତି ବାକି ରହିଛି। ରାତି ସାଢ଼େ ୯ଟା ସୁଦ୍ଧା ବିଜେପିର ପ୍ରଦର୍ଶନ ଜିଲ୍ଲାରେ ନୈରାଶ୍ୟଜନକ ରହିଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାରେ ଗତକାଲି ଯେଉଁ ସଫଳତା ପାଇଥିବା ତାହାକୁ ଦୋହରାଇବା ସ୍ଥିତିରେ ବିଜେଡି ରହିଛି। ଗତକାଲି ୧୦ଟି ଜୋନ୍ରେ ଗଣତି ହୋଇଥିବା ବେଳେ ୯ଟି ଜୋନ୍ ବିଜେଡି ଖାତାକୁ ଯାଇଥିଲା। କେବଳ ଗୋଟିଏ ଜୋନ୍ରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଆଜି ମଧ୍ୟ ୧୦ଟି ଜୋନ୍ ମଧ୍ୟରୁ ୯ଟି ଜୋନ୍ରେ ବିଜେଡି ଆଗରେ ରହିଛି। ପାପଡ଼ାହାଣ୍ଡି ବ୍ଲକ୍ର ଗୋଟିଏ ଜୋନ୍ରେ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ତଥା କଂଗ୍ରେସ ପ୍ରାର୍ଥୀ ଲିପିକା ମାଝୀ ପାଖାପାଖି ୪ହଜାର ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି।
ମମିତା ମେହେରଙ୍କ ବଡ଼ବାପା ବିଜୟୀ
ବଲାଙ୍ଗୀର : ଚଳିତ ପଞ୍ଚାୟତ ନିର୍ବାଚନରେ ମମିତା ମେହେରଙ୍କ ଦୁଇଜଣ ବଡ଼ବାପା ବିଜୟ ଲାଭ କରିଥିବା ଜଣାପଡ଼ିଛି। ଦୁଇ ଜଣ ଶାସକ ଦଳ ବିପକ୍ଷ ଓ କଂଗ୍ରେସ ଦଳର ସମର୍ଥନରେ ଲଢ଼ୁଥିଲାବେଳେ ଜଣଙ୍କର ବିଜୟ ସ୍ପଷ୍ଟ ହୋଇଛି।
ମମିତାଙ୍କ ମୃତ୍ୟୁପରେ ସାରାରାଜ୍ୟର ନଜରକୁ ଚାଲି ଆସିଥିଲା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ର ଝରଣୀ ଗାଁ। ଏହି ଗଁା ହେଉଛି ମମିତାଙ୍କ ଘର। ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ, ମୃତ ମମିତା ମେହେରଙ୍କ ଦୁଇଜଣ ବଡ଼ବାପା। ଜଣେ ବଡ଼ବାପା ରଘୁବୀର ମେହେର ଝରଣୀ ପଂଚାୟତରେ ସରପଂଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବେଳେ ଆଉଜଣେ ବଡ଼ବାପା କୌଶିକ ମେହେର ତୁରେକେଲା ବ୍ଲକ୍ ୧୧ ନମ୍ବର ଜୋନରୁ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ। ପ୍ରଥମ ଦିନ ଭୋଟ ଗଣତି ପରେ ଝରଣୀ ପଂଚାୟତରେ କଡ଼ା ଟକ୍କର ଭିତରେ ବିଜୟୀ ହୋଇଛନ୍ତି ରଘୁବୀର । ଆଉ ସେପଟେ ଦ୍ୱିତୀୟ ଦିନ ଭୋଟ ଗଣତି ପରେ ୧୧ ନମ୍ବର ଜୋନରେ ଜିଲ୍ଲା ପରିଷଦରେ କଡ଼ା ଟକ୍କରରେ ବିଜୟ ମୁହାଁ କୌଶିକ ମେହେର। କୌଶିକ ମେହେର ହେଉଛନ୍ତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅତ୍ୟନ୍ତ ଖାସ୍ ସମର୍ଥକ।
ମମିତା ମେହେରଙ୍କୁ ହତ୍ୟା କରିବା ପରେ ଏହି ଘଟଣାକୁ ପ୍ରଥମେ ତଥ୍ୟ ସହିତ ସାମ୍ନାକୁ ଆଣିଥିଲେ କଣ୍ଟାବାଜି ବିଧାୟକ ସନ୍ତୋଷ ସିଂହ ସାଲୁଜା। ସାରା ରାଜ୍ୟରେ ମମିତା ହତ୍ୟାକାଣ୍ଡ ହଇଚଇ ସୃଷ୍ଟି କରିଥିବା ବେଳେ ବିଧାୟକ ୧୧ ନମ୍ବର ଜୋନରେ ମମିତାଙ୍କ ବଡ଼ବାପା କୌଶିକ ମେହେରଙ୍କୁ ପ୍ରାର୍ଥୀ କରି ରାଜନୈତିକ ସମ୍ମୁଖ ଯୁଦ୍ଧ ଆରମ୍ଭ କରିଥିଲେ। ମମିତା ପାଇଁ ଲଢ଼େଇ କରୁ କରୁ ରାଜନୀତି ଯୁଦ୍ଧରେ କୌଶିକ ମେହେର ସଫଳତା ଆଡ଼କୁ ମୁହଁାଇଛନ୍ତି। ଦୁଇ ଭାଇଙ୍କ ଯୋଡ଼ିକୁ ନେଇ ଏବେ ଜୋରଦାର ଚର୍ଚ୍ଚା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/congress.jpg)