ଭୁବନେଶ୍ବର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ସେଲ୍ର ଏକ ମିଳିତ କାର୍ଯ୍ୟକାରିଣୀ ବୈଠକ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ନେତୃତ୍ୱ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମକୁ ବୁଥ୍ସ୍ତର ପର୍ଯ୍ୟନ୍ତ ନିଆଯିବ। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଭୋଟରମାନଙ୍କୁ କଂଗ୍ରେସର ତ୍ୟାଗ ଓ ବଳିଦାନ ସଂପର୍କରେ ଅବଗତ କରାଯାଇ ଦଳ ପ୍ରତି ସେମାନଙ୍କର ମନୋଭାବର ପରିବର୍ତନ କରିବାକୁ ଆଲୋଚନା ହୋଇଛି।
ଏଥିରେ ମୁଖ୍ୟ ଅତିଥିଭାବେ ଅଖିଳ ଭାରତ କଂଗ୍ରେସ କମିଟି (ଏସ୍ସିଏସ୍ଟି, ଓବିସି ଓ ସଂଖ୍ୟାଲଘୁ) ସେଲ୍ର ସଂଯୋଜକ କେ. ରାଜୁ ଯୋଗ ଦେଇ କହିଲେ, ଓଡ଼ିଶାର ସଂରକ୍ଷିତ ଥିବା ୫୭ ଟି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ନେତୃତ୍ୱ ବିକାଶ ମିସନ ଗଠନ କରାଯାଇଛି। ୩୩ଟି କଂଗ୍ରେସ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନେତୃତ୍ୱ ବିକାଶ କମିଟି ଗଠନ କରାଯିବ। ଅଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ସେଲ୍ର ଅଧ୍ୟକ୍ଷ ରାଜେଶ ଲିଲୋଠିଆ କହିଥିଲେ, ରାଜ୍ୟରେ ବିଜେଡି ସରକାର କେନ୍ଦ୍ର ବିଜେପି ପାଖରେ ଶରଣ ପଶିଥିଲା ବେଳେ ସାଧାରଣ ଲୋକେ ରାଜ୍ୟ ସରକାରଙ୍କ ଉପରେ ଖପ୍ପା ଅଛନ୍ତି। ତେଣୁ କଂଗ୍ରେସ ନେତୃତ୍ୱ ଏ ସରକାରର ଜନବିରୋଧୀ ନୀତିକୁ ଆଧାର କରି ସାଧାରଣ ଭୋଟରଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ରହିବା ଦରକାର। ଅଖିଳ ଭାରତ କଂଗ୍ରେସ ଆଦିବାସୀ ସେଲ୍ର ଅଧ୍ୟକ୍ଷ ଶିବାଜୀ ରାଓ ମୋଘେ କହିଥିଲେ ଯେ ଆଦିବାସୀ ଓ ଦଳିତ ନେତାମାନଙ୍କୁ ଅନ୍ୟ ନେତା ଓ କର୍ମକର୍ତାମାନେ ଉପଯୁକ୍ତ ସମ୍ମାନ ଦେଲେ ସେମାନଙ୍କ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରି ଦଳରେ ସାମିଲ ହେବେ।
ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ଦଳର ନେତା ନରସିଂହ ମିଶ୍ର, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସୁଶୀଳା ତିରିଆ, ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ସେଠୀ, ପ୍ରମୁଖ ବହୁ ନେତା ଉଦ୍ବୋଧନ ଦେଇଥିଲେ। ଅନୁସୂଚିତ ଜାତି ସେଲ୍ର ଅଧ୍ୟକ୍ଷ ବାଙ୍କନିଧି ବେହେରା ପ୍ରାଣ ହରାଇଥିବା ସଦସ୍ୟଙ୍କ ଉଦ୍ଦ୍ୟେଶରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ୍ର ଅଧ୍ୟକ୍ଷ ଭୁଜବଳ ମାଝୀ ଧନ୍ୟବାଦ ଦେଇଥିଲେ।