ଭୁବନେଶ୍ୱର : ସଂସଦରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ରର ମୋଦୀ ସରକାର ପାରିତ କରିଥିବା ୩ଟି କୃଷି ବିଲ୍ ନେଇ ସାରା ଭାରତରେ କୃଷକମାନଙ୍କର ପ୍ରତିବାଦ ଓ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚାଷୀ ଓ ଭାଗଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଏକ ମାସରୁ ଅଧିକ ସମୟ ଧରି ସାରା ଦେଶରେ ବିଭିନ୍ନ ଆନ୍ଦୋଳଲ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଯାଇଛି। ସେହି ଅନୁଯାୟୀ ଓଡ଼ିଶାରେ ଜନ ଜାଗରଣ ପାଇଁ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। କେଉଁ ତାରିଖରେ କଣ କାର୍ଯ୍ୟକ୍ରମ କରାଯିବ ସେ ନେଇ ପିସିସି ପକ୍ଷରୁ ଏକ ତାଲିକା ପ୍ରସ୍ତୁତ ହୋଇଛି।
ତାଲିକା ଅନୁଯାୟୀ ଆସନ୍ତାକାଲି ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଓଡ଼ିଶା ଗସ୍ତରେ ଆସି ଅପରାହ୍ନ ୪ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବେ। ସେପ୍ଟେମ୍ବର ୨୫ ତାରିଖରେ ଏଆଇସିସି କୃଷକ ସଙ୍ଗଠନର ଡାକରା ଅନୁଯାୟୀ ଆନ୍ଦୋଳନ କରାଯିବ। ସେହିପରି ଆସନ୍ତା ୨୬ ତାରିଖ ଦିନ ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନଙ୍କ ପାଇଁ ଏକ 'ସ୍ପିକ୍ ଫର୍ ଫାର୍ମର୍ସ୍' ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁଥିରେ କୃଷକମାନେ ନିଜର ମତ ରଖିବା ସହ କଂଗ୍ରେସ ନେତୃବୃନ୍ଦ ଓଡ଼ିଶାର ରାଜ୍ୟପାଳଙ୍କ ସହ ଆଲୋଚନା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବେ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପିସିସି ପକ୍ଷରୁ କିଷାନ୍ ମଜଦୁର ବଞ୍ଚାଅ ଦିବସ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ଏହାସହିତ ସେହିଦିନ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୁଥ୍, ଗ୍ରାମ ପଞ୍ଚାୟତ, ଏନ୍ଏସି, ମୁନିସିପାଲଟି, ମହାନଗର ନିଗମ ଓ ସର୍ବୋପରି ଜିଲ୍ଲା ସ୍ତରରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ ତାରିଖରେ ରାଜ୍ୟର ଯେ କୌଣସି ଗୋଟିଏ ସ୍ଥାନରେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହିସବୁ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, ଛାମୁଆ ସଙ୍ଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମୀମାନେ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Niranjan_Patnaik.jpg)