ଭୁବନେଶ୍ୱର: ମହାଦେବ ବେଟିଂ ସ୍କାମ୍ର ଗୁମର ଯେତିକି ଫିଟୁଛି ସେତିକି ନୂଆ କଥା ପଦାକୁ ଆସୁଛି। ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେଉଥିବାବେଳେ ମହାଦେବ ବେଟିଂ ସ୍କାମ୍ ଲୁଟ୍ ଅର୍ଥରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ନିର୍ବାଚନ ଲଢ଼ୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଭାରତରେ ମହାଦେବ ବେଟିଂ ଆପ୍ର ପ୍ରୋମୋଟର ଚନ୍ଦ୍ରଶେଖର ଓ ଉପଲଙ୍କର କଂଗ୍ରେସ ନେତାଙ୍କ ସହ ବିଭିନ୍ନ କଥୋପକଥନ, କଲ୍ ରେକର୍ଡ, ହ୍ୱାଟସ୍ଆପ୍ ଚାର୍ଟ ସବୁ ମିଳିବା ପରେ ଇଡି ଅଭିଯୁକ୍ତ ଅସୀମ ଦାସ ଠାରୁ ଶୁଭମ୍ ସୋନି ମାଧ୍ୟମରେ ବ୍ୟାପକ ଟଙ୍କା କାରବାର ହୋଇଥିବା ପ୍ରମାଣ ପାଇଛି। ଏହି ଅସୀମ ଦାସ କିଏ? ଶୁଭମ୍ ସୋନି କଂଗ୍ରେସର ଜଣେ ପାଖଲୋକ। ଅସୀମ ଦାସ ଭଏସ ରେକର୍ଡ ଭୂପେଶ ବଘେଲଙ୍କ ସଂପୃକ୍ତିକୁ ପ୍ରମାଣିତ କରୁନାହିଁ କି? ହୋଟେଲ ଟାଇଟନରୁ ଅସୀମ ଦାସଙ୍କ ପାଖରୁ ଟଙ୍କା ଜବତ କରାଗଲା, ତାହା କଂଗ୍ରେସ ନେତାଙ୍କୁ ନିର୍ବାଚନ ପାଇଁ ଦିଆଯାଉଥିଲା କି? ୧୫କୋଟି କାହା ପାଖରେ ଥିଲା? ୫କୋଟି ୩୦ଲକ୍ଷ ଜବତ ଟଙ୍କା କଂଗ୍ରେସର ନେତାଙ୍କ ବ୍ୟବହାର ପାଇଁ ଦିଆଯାଉଥିଲା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।
ଏହାସହ ସେ କହିଛନ୍ତି ଯେ ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଦୁବାଇ ପର୍ଯ୍ୟନ୍ତ ମହାଦେବ ବେଟିଂ ଆପ୍ର ଚେର ଲମ୍ବିଛି। ଭାରତ ବିରୋଧୀ ଶକ୍ତିମାନେ କଂଗ୍ରେସକୁ ଟଙ୍କା ଦେଉଛନ୍ତି। ଛତିଶଗଡ଼ର କଂଗ୍ରେସ ନେତୃମଣ୍ଡଳୀ ଏହି ଟଙ୍କାରେ ଉପକୃତ ହୋଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।