ଛେନାପଦିରେ କଂଗ୍ରେସର ଜନଜାଗରଣ ଓ କୃଷକ ସମାବେଶ

ହାଟଡିହି : ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ୫ଘଣ୍ଟା ଭିତରେ କୃଷିଋଣ ଛାଡ଼ କରିବ। କେନ୍ଦୁଝର ଜିଲ୍ଲା ଛେନାପଦିଛକରେ ଅନୁଷ୍ଠିତ ଜନଜାଗରଣ ଓ କୃଷକ ସମାବେଶରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅନ୍ୟ ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରବରିଆ ଭାବେ କାଳିଆ ଯୋଜନା ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟ ଏବେ ଋଣ ଭାରରେ ବୁଡ଼ି ଚାଲିଥିବାବେଳେ ଓଡ଼ିଆ ଜାଣି ନଥିବା, ଓଡ଼ିଆ ଲୋକଙ୍କ ସମସ୍ୟା ବୁଝିପାରୁ ନଥିବା ମୁଖ୍ୟମନ୍ତ୍ରୀ ଏବେ ଖାଲି ଯୋଜନା ପରେ ଯୋଜନା ଘୋଷଣା କରିବା କେବଳ ନିର୍ବାଚନୀ ଧୂଆଁବାଣ ବୋଲି ସେ ଅଭିଯୋଗ କରିଛନ୍ତି।

ମୋଦୀ ସରକାର ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରି କେବଳ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ମତବ୍ୟକ୍ତ କରିଥିଲେ।

ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିରୋଧୀ ଦଳର ଉପନେତା ତଥା କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପିସିସି ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ପିସିସି କୃଷକ ସେଲ୍‌ର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ, କଂଗ୍ରେସର ଶ୍ରମିକ ନେତା ବାପି ସର୍ଖେଲ, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ, ପିସିସି ସଂପାଦକ ସଂଗ୍ରାମ ଦାସ, ପିସିସି ସଭ୍ୟ ନିକୁଞ୍ଜ ବିହାରୀ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ଉପସଭାନେତ୍ରୀ ବିନିତା ମାଝି, ଛାତ୍ରନେତା ରାଜୀବ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଅଲେଖ ମଲ୍ଲିକ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ଯୋଗଦେଇ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର