୧୪ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ କୃଷକ ସେଲ୍‌

ଫସଲବୀମା ସହାୟତା ପାଇବାରୁ ଲକ୍ଷାଧିକ ଚାଷୀ ବଞ୍ଚିତ

ଭୁବନେଶ୍ୱର : ରାଜ୍ୟରେ ମରୁଡ଼ି, ଦୁଇ ଦୁଇ ଥର ଲଘୁଚାପ ଜନିତ ବର୍ଷା, ଚକଡ଼ା, ଜଉପୋକ କାରଣରୁ ଧାନଫସଲ ବ୍ୟାପକ ନଷ୍ଟ ହୋଇଛି। ଏହା ସତ୍ତ୍ୱେ ଲକ୍ଷ ଲକ୍ଷ ଚାଷୀ ମଧ୍ୟବର୍ତୀକାଳୀନ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନୁଗୁଳ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୧୪ଟି ଜିଲ୍ଲାର ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଚାଷୀମାନେ ଏଭଳି ସହାୟତା ପାଇପାରିଲେନି। ଯଦି ସରକାର ଫସଲ କ୍ଷତିଗ୍ରସ୍ତ ବୀମାଭୁକ୍ତ ସମସ୍ତ ଚାଷୀଙ୍କୁ ମଧ୍ୟବର୍ତୀକାଳୀନ ସହାୟତା ସହିତ ସମସ୍ତ କ୍ଷୟକ୍ଷତିର ବୀମା ଅର୍ଥ ତୁରନ୍ତ ପ୍ରଦାନ ନ କରନ୍ତି, ସମ୍ପୃକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କୃଷକ ସେଲ୍‌ ପକ୍ଷରୁ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାର ବୀମା କମ୍ପାନିଗୁଡ଼ିକ ଜରିଆରେ ଖରିଫ ଋତୁରେ ମୋଟ ୧୮ଲକ୍ଷ ୩୬ ହଜାର ୩୫୦ଜଣ ଚାଷୀଙ୍କୁ ଫସଲ ବୀମାଭୁକ୍ତ କରିଛନ୍ତି। ଏଥିପାଇଁ ଚାଷୀ ସେମାନଙ୍କ ପ୍ରିମିୟମ ବାବଦରେ ୧୪୪ କୋଟି ୨୪ ଲକ୍ଷ ଟଙ୍କା ମଧ୍ୟ ଜମା କରିଛନ୍ତିି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ୮୩୯ କୋଟି ୩୮ ଲକ୍ଷ ଟଙ୍କା ବୀମା କମ୍ପାନିଗୁଡ଼ିକ ନିକଟରେ ଜମା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଯଦି କୌଣସି ପରିସ୍ଥିତିରେ ୫୦ ପ୍ରତିଶତରୁ କମ୍‌ ଅମଳ ହେବାର ଆନୁମାନିକ ରିପୋର୍ଟ ମିଳେ, ସେ କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ ୨୫ ପ୍ରତିଶତ ଅଗ୍ରିମ ମଧ୍ୟବର୍ତୀକାଳୀନ ବୀମା ସହାୟତା ରାଶି ଦିଆଯାଇପାରିବ। କିନ୍ତୁ ଆଶ୍ଚର୍ଯ୍ୟର କଥା କେନ୍ଦ୍ର ବିଜେପି ସରକାର କେବଳ ବୀମା କମ୍ପାନିଗୁଡ଼ିକ ସ୍ୱାର୍ଥରେ ଥିବା ବେଳେ ରାଜ୍ୟ ବିଜେଡି ସରକାରଙ୍କ ଅପାରଗତା ଓ ଚାଷୀଙ୍କୁ ଅଣଦେଖା ଯୋଗୁଁ ମଧ୍ୟବର୍ତୀକାଳୀନ ଫସଲ ବୀମା ସହାୟତା ଚାଷୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିରୁ ଚାଷୀଙ୍କ ପ୍ରତି ଉଭୟ ସରକାର କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଚାଷୀ ଓ ସରକାରଙ୍କ ଅର୍ଥରେ ବୀମା କମ୍ପାନିଗୁଡ଼ିକ ମାଲାମାଲ ହେଉଛନ୍ତି।

ସମ୍ବନ୍ଧିତ ଖବର