ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ କୃଷକ ସେଲ୍‌ର ପ୍ରଶ୍ନ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୃଷି ଓ କୃଷକମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର କେଉଁ କେଉଁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେ ନେଇ କେତୋଟି ପ୍ରଶ୍ନ ପଚାରିଛି ପ୍ରଦେଶ କଂଗ୍ରେସ କୃଷକ ସେଲ୍‌।

କୃଷକ ସେଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ଦର୍ଶାଯାଇଛି, କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ହେବାର ଚାରିବର୍ଷ ପୂରିଛି। କିନ୍ତୁ ଏହି ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କୁ ଅଣଦେଖା କରାଯିବା ଫଳରେ ଦେଶରେ ଚାଷୀ ଆତ୍ମହତ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ସେହିପରି ଗତ ସାଧାରଣ ନିର୍ବାଚନ ଇସ୍ତାହାରରେ ବିଜେପି ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଏହା ଭୁଲିଗଲେ କାହିଁକି? ୨୦୧୬ରୁ ପ୍ରଚଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର କେତେ ଚାଷୀ ଉପକୃତ ହୋଇଛନ୍ତି ଏବଂ ଏହି କାରବାରରେ ବୀମା କମ୍ପାନିମାନେ କେତେ ଲାଭ ନେଇଛନ୍ତି? ଋଣଗ୍ରସ୍ତ ଚାଷୀମାନଙ୍କଠାରୁ କୃଷି ଋଣ ଛାଡ଼ କରାଯାଇ ନ ଥିବା ବେଳେ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ଋଣ ଛାଡ଼ କରାଯିବାର କାରଣ କଣ? ୨୦୧୫ରେ ବରଗଡ଼ ସଭାରେ ନିଜେ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ।

ସମ୍ବନ୍ଧିତ ଖବର