ବାଲେଶ୍ୱର : କେନ୍ଦ୍ର ସରକାରଙ୍କର କୃଷକ ବିରୋଧୀ ଆଇନକୁ ନେଇ ଆନ୍ଦୋଳନ ତେଜୁଛି। ଶନିବାର କଂଗ୍ରେସ ପକ୍ଷରୁ ବାଲେଶ୍ବରରେ ରାଜ୍ୟସ୍ତରୀୟ ଚାଷୀ ସମାବେଶ କରାଯାଇଥିବା ବେଳେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ ଜୋରଦାର କରାଯିବ ବୋଲି ଦଳ ନିଷ୍ପତ୍ତି ନେଇଛି। ଆନ୍ଦୋଳନରେ ଅଧିକ ସଂଖ୍ୟାରେ ଚାଷୀଙ୍କୁ ଯୋଡ଼ାଯିବ। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ‘ମିସ୍ କଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆଜି ବାଲେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ ଓ ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ଉପସ୍ଥିତ ରହି କାର୍ଯ୍ୟକ୍ରମର ପୋଷ୍ଟରକୁ ଉନ୍ମୋଚନ କରିଛନ୍ତି। ଯେଉଁମାନେ ଏହି ଆନ୍ଦୋଳନ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ସେମାନେ ମୋ- ୭୪୦୬୩୪୩୩୩୦ ନମ୍ବରରେ ମିସ୍ କଲ୍ କରିବାକୁ ପଡ଼ିବ। ଏହା ପରେ ସେମାନଙ୍କ ପାଖକୁ ପିସିସି ପକ୍ଷରୁ ଏକ ମେସେଜ୍ ଯିବା ସହ ସେମାନେ ଆନ୍ଦୋଳନରେ ସାମିଲ୍ ହୋଇପାରିବେ। ଏହାବ୍ୟତୀତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ୧୦ ଲକ୍ଷ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ଚାଲିବ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ଆଇନ୍ ଦ୍ୱାରା ଚାଷୀ ଏବଂ ଚାଷର ଭାଗ୍ୟ ପୁଞ୍ଜିପତି, କର୍ପୋରେଟ୍ ହାଉସ ହାତକୁ ଚାଲିଯିବ। ଛୋଟ, ନାମକୁମାତ୍ର, ମଧ୍ୟମବର୍ଗ ଓ ଭାଗଚାଷୀ ଏହାଦ୍ୱାରା ଗଭୀର ସଂକଟ ଭିତରକୁ ଠେଲି ହୋଇଯିବେ। ଚାଷୀର ଫସଲ ଉତ୍ପାଦନଠାରୁ ଆରମ୍ଭ କରି ବିକ୍ରିବଟା ପର୍ଯ୍ୟନ୍ତ ସବୁ କିଛି ଦେଶର ବଡ଼ ବଡ଼ ପୁଞ୍ଜିପତିଙ୍କ ନିୟନ୍ତ୍ରଣକୁ ଚାଲିଯିବ। ମଣ୍ଡି ବା ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଯେଉଁଭଳି ତାଙ୍କର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରୁଥିଲେ ତାହା କ୍ରମଶଃ ବନ୍ଦ ହୋଇଯିବ। ସେହିପରି ଶ୍ରମ ଆଇନ୍ ସଂସ୍କାର ଆଳରେ ପୂର୍ବର ଶ୍ରମ ଆଇନ୍କୁ ଉଚ୍ଛେଦ କରି କେନ୍ଦ୍ର ସରକାର ଲେବର୍ କୋର୍ଡ ପ୍ରଚଳନ କରୁଛନ୍ତି। ଯାହା ଶ୍ରମିକ ବିରୋଧୀ। ଏହା ମଧ୍ୟ ଶ୍ରମିକମାନଙ୍କର ସର୍ବନିମ୍ନ ଅଧିକାରକୁ କ୍ଷୂଣ୍ଣ କରିବ ଓ ପୁଞ୍ଜିପତିମାନଙ୍କୁ ସୁହାଇବ। ଏହା ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ କଂଗ୍ରେସ ଡାକରା ଦେଇଛି।