ରାଫେଲ୍‌ ମହାଦୁର୍ନୀତି ନେଇ ଗର୍ଜିଲେ ସିଂଘଭି : ଜଲଦି ପକ୍‌ଡୋ ଚୌକିଦାର

‘କାଳିଆ’ ଯୋଜନା ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ

ଭୁବନେଶ୍ବର : ରାଫେଲ୍‌ ଯୁଦ୍ଧ ବିମାନ କିଣା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ରାୟ ପ୍ରକାଶ ପରେ ବି କଂଗ୍ରେସ ଦଳ ଚୁପ୍‌ ବସିନାହିଁ। ବରଂ ଏହାର ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ ଦାବିକୁ ଜୋରଦାର କରିଛି। ଏହି କ୍ରମରେ ଆଜି ଅଖିଳ ଭାରତ କ˚ଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ତଥା ସା˚ସଦ ଡଃ ଅଭିଷେକ ମନୁ ସି˚ଘଭି ଏଠାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଜେପିସିକୁ ଜଲ୍‌ଦି ପକ୍‌ଡୋ ଚୌକିଦାର ଭାବେ ଅଭିହିତ କରି ଏହି ତଦନ୍ତ ଦାବି ଦୋହରାଇଛନ୍ତି।

ଆଜି କ˚ଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଡଃ ସି˚ଘଭି କହିଲେ ଯେ ରାଫେଲ୍‌ ବିମାନ କିଣାରେ ଦେଶର ସବୁଠାରୁ ବଡ଼ ଭ୍ରଷ୍ଟାଚାର ହୋଇଛି। ରାଫେଲ୍‌ ଯୁଦ୍ଧ ବିମାନ ନେଇ ମୋଦୀ ଦେଶବାସୀଙ୍କୁ ଧୋକା ଦେଇଛନ୍ତିି। ୩୬ଟି ଯୁଦ୍ଧ ବିମାନକୁ ୧୮ ହଜାର ୯୪୦ କୋଟି ପରିବର୍ତେ ୬୦ ହଜାର ୧୪୫ କୋଟି ଟଙ୍କା ଦେଇ କିଣାଯାଇଛି। ଉପା ସରକାର ସମୟରେ ପ୍ରତ୍ୟେକ ଯୁଦ୍ଧ ବିମାନ ୫୨୬ କୋଟିରେ କିଣିବା ପାଇଁ ସ୍ଥିର ହୋଇଥିଲା। ବର୍ତମାନ ଏହାକୁ ୧୬୨୦ କୋଟିକୁ କାହା ସ୍ବାର୍ଥରେ ବୃଦ୍ଧି କରାଯାଇଛି? ଫ୍ରାନ୍ସର ଡାସଲଟ୍‌ ଆଭିଏସନ୍‌ କମ୍ପାନି ସମଗ୍ର ଦେଶରୁ ରିଲାଏନ୍‌ସ କମ୍ପାନିକୁ ଅ˚ଶୀଦାର ଭାବେ ବାଛିବା ଏବ˚ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେଙ୍କ ମନ୍ତବ୍ୟ ମୋଦୀଙ୍କର ଅସଲମୁଖାକୁ ପଦାରେ ପକାଇ ଦେଇଛି। ୩୬ଟି ଯୁଦ୍ଧ ବିମାନ କିଣିବାରେ ସରକାର ୪୧ ହଜାର ୨୦୫ କୋଟି ଅଧିକ ପ୍ରଦାନ କରିବାକୁ ନେଇଥିବା ନିଷ୍ପତ୍ତି ଦେଶର ରାଜକୋଷକୁ ଲୁଟ୍‌ ବୋଲି ଶ୍ରୀ ସି˚ଘଭି ଦର୍ଶାଇଥିଲେ। ରିଲାଏନ୍ସ କମ୍ପାନିକୁ ରାଫେଲ ଯୁଦ୍ଧ ବିମାନର ୩୦ ହଜାର କୋଟିର ଅଫସେଟ୍‌ କଣ୍ଟ୍ରାକ୍ଟ ଏବ˚ ୧ ଲକ୍ଷ କୋଟିର ରକ୍ଷଣାବେକ୍ଷଣର ଦାୟିତ୍ବ କିଭଳି ନ୍ୟସ୍ତ କରାଗଲା, ତାହା ଦେଶବାସୀଙ୍କ ଆଗରେ ସ୍ପଷ୍ଟ ହେବା ଉଚିତ।

ରାଫେଲ ଯୁଦ୍ଧ ବିମାନ ଚୁକ୍ତିନାମାରେ ବୈଷୟିକ ଜ୍ଞାନ କୌଶଳକୁ ଭାରତ ସହିତ ବିନିମୟ ନେଇ କୌଣସି ସର୍ତ ରଖାନଯିବା ଦେଶବାସୀଙ୍କ ସ୍ବାର୍ଥର ପରିପନ୍ଥୀ। ସେହିପରି ଦେଶ-ଦେଶ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତିନାମାରେ ସଭରେନ୍‌ ଗ୍ୟାରେଣ୍ଟି ପରିବର୍ତେ ଲେଟର ଅଫ୍‌ କମ୍‌ର୍ଫଟ୍‌ କେତେଦୂର ଗ୍ରହଣୀୟ ‌ବୋଲି କଂଗ୍ରେସ ମୁଖପାତ୍ର ପଚାରିଥିଲେ। ଏହି ପ୍ରସଙ୍ଗରେ ମୋଦୀ ସରକାର ସୁପ୍ରିମ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଅନ୍ୟୂନ ୫ଟି ପ୍ରସଙ୍ଗରେ ପୁନର୍ବାର ସଂଶୋଧନ ପ୍ରସ୍ତାବ ଦେବା ‌ଘଟଣାରୁ କେନ୍ଦ୍ର ସରକାରଙ୍କ ଭୂମିକା ଜଳ ଜଳ ଦେଖାଯାଉଛି। ରାଫେଲ୍‌ ବିମାନ ମୂଲ୍ୟ, ତଦନ୍ତ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସୁପ୍ରିମ କୋର୍ଟ କୌଣସି ଆଦେଶ ଦେବାକୁ ମନା କରିଦେଇଛନ୍ତିି। ଏଣୁ, ଏ ସମସ୍ତ ପ୍ରସଙ୍ଗ କେବଳ ଜେପିସି ହିଁ ତଦନ୍ତ କରି ସତ୍ୟାସତ୍ୟ ନିର୍ଣ୍ଣୟ କରିପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସେହିପରି ବିନା ଅନୁମତିରେ କମ୍ପ୍ୟୁଟର, ସ୍ମାର୍ଟଫୋନ୍‌ ଆଦି ଯାଞ୍ଚ କରିବା ନେଇ ଗତକାଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିକି ଡ. ସିଂଘଭି କଟୁ ସମାଲୋଚନା କରିଥିଲେ। ଏଭଳି ନିଷ୍ପତ୍ତି ବ୍ୟକ୍ତି ସ୍ବାଧୀନତାର ପରିପନ୍ଥୀ ତଥା ଗୋପନୀୟତାର ଅଧିକାର ଉପରେ ଶକ୍ତ ଆଘାତ। ଆଇ.ଟି. ଆଇନରେ ପୂର୍ବରୁ ଥିବା ବ୍ୟବସ୍ଥାକୁ ଜାତୀୟ ସୁରକ୍ଷା ନାମରେ ମୋଦୀ ସରକାର ପରିବର୍ତନ କରି ଚୋରା ଖବର ସ˚ଗ୍ରହ କରିବା, ଟିକିନିଖି ଦେଖିବା ଓ ସ˚ନୀରିକ୍ଷଣ କରିବାର ଅପଚେଷ୍ଟା କରିଛନ୍ତି। ଆଗାମୀ ଦିନରେ ଜନସାଧାରଣ ଏହାର ଜବାବ ଦେବେ ବୋଲି ସେ ଚେତାବନୀ ଦେଇଥିଲେ।

ଗତକାଲି ନବୀନ ସରକାର ଘୋଷଣା କରି ‘କାଳିଆ’ ଯୋଜନାକୁ ସମାଲୋଚନା କରି ଶ୍ରୀ ସି˚ଘଭି କହିଥିଲେ ଯେ ‘କାଳିଆ’ ଶବ୍ଦର ବ୍ୟବହାର ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ। ଦୀର୍ଘ ୧୮ ବର୍ଷ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଏ ସରକାର ଶୋଇଛନ୍ତି। ଆଗାମୀ ନିର୍ବାଚନରେ ରାଜ୍ୟବାସୀ ଏହି ସରକାରଙ୍କୁ ବିଦା କରିବେ। ରାଜ୍ୟ ସରକାର କୃଷି ଓ କୃଷକଙ୍କର ସର୍ବନିମ୍ନ ଆବଶ୍ୟକତା ଯଥା: ଜଳସେଚନ ବ୍ୟବସ୍ଥା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଉପଯୁକ୍ତ ବଜାର, ଅଭାବୀ ବିକ୍ରି ବନ୍ଦ, କୃଷିଋଣ ଛାଡ, ଗୋଦାମଘର ଓ ଶୀତଳଭଣ୍ତାର ବ୍ୟବସ୍ଥାକୁ ପୂରଣ କରିବାରେ ସ˚ପୂର୍ଣ୍ଣ ଅସମର୍ଥ ହୋଇଥିବା ସେ କହିଥିଲେ। ଏହି ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର