ଜିଲ୍ଲାପାଳଙ୍କୁ ପୁଣି ଟାର୍ଗେଟ୍‌ କଲେ କଂଗ୍ରେସ ନେତା, ଚାମ୍ବର ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ମାଲକାନଗିରି : ପଥର ଖଣି ଲିଜ୍‌ ଚଞ୍ଚକତା ଘଟଣାରେ ବିବାଦଘେରକୁ ଆସିଥିବା ମାଲକାନଗିରି ଜିଲ୍ଲାପାଳ ୱାଇ.ବିଜୟଙ୍କୁ ବଦଳି କରାଯାଇଛି। ମାତ୍ର, ବଦଳିର କେଇଘଣ୍ଟା ପୂର୍ବରୁ ଜିଲ୍ଲାପାଳଙ୍କ ବିରୋଧରେ ସାନି ଅଭିଯୋଗ କରିଛି କଂଗ୍ରେସ। ଜିଲ୍ଲାପାଳ ନିଜ ‌ସୌଖୀନ ମିଜାଜ୍ ପାଇଁ ସରକାରୀ ଅର୍ଥର ଅପବ୍ୟବହାର କରୁଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଆବଶ୍ୟକତା ନଥାଇ ନିଜ ଚାମ୍ବରର ପୁନଃନିର୍ମାଣ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି।

ଶ୍ରୀ ମାଝି ଅଭିଯୋଗ କରିଛନ୍ତି, କିଛିଦିନ ହେଲା ଜିଲ୍ଲାପାଳଙ୍କ ଚାମ୍ବରର ପୁନଃନିର୍ମାଣ କାର୍ଯ୍ୟ ଚାଲିଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କାମ ସରିବାବେଳକୁ ମୋଟ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ମହାମାରୀ ସମୟରେ ଏଭଳି ଅଯଥା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ମାଝୀ। ଜିଲ୍ଲାର ହଜାର ହଜାର ଲୋକ ରୋଜଗାର ହରାଇଥିବାବେଳେ କାମଧନ୍ଦା ନପାଇ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଏମିତି ସଙ୍କଟ ସମୟରେ ସମସ୍ତ ପ୍ରକାର ଅଯଥା ଖର୍ଚ୍ଚକୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲାରେ ଏହାର ବ୍ୟତିକ୍ରମ ହୋଇଛି। ଜିଲ୍ଲାପାଳ ନିଜ ଚାମ୍ବରର ପୁନଃନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏହାର କୌଣସି ଆବଶ୍ୟକତା ନଥିଲା। କାରଣ ପ୍ରକୋଷ୍ଠ ଠିକ୍‌ଠାକ ରହିଥିବା ବେଳେ କୌଣସି ପ୍ରକାର ସମସ୍ୟା ନଥିଲା। ତଥାପି ପ୍ରଶାସନିକ ଅନୁମୋଦନ ବିନା ଏବଂ ଆର୍ଥିକ ଆବଣ୍ଟନ ନଥାଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ମାଣ କାମ କରୁଥିବା ଶ୍ରୀ ମାଝି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର