ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗରର ବରିଷ୍ଠ କଂଗ୍ରେସ ନେତା ଭାସ୍କର ପତି (୬୩) ମଙ୍ଗଳବାର କାର୍ ଧକ୍କାରେ ପ୍ରାଣ ହରାଇଛନ୍ତି। ଭଞ୍ଜନଗର ଥାନା ଅଧୀନ ବାରୁଡ଼ା ଗ୍ରାମ ନିକଟରେ ଥିବା ତାଙ୍କ ଚାଷଜମିରେ ଧାନରୁଆ କାମ ଚାଲିଥିଲା। ସ୍ବର୍ଗତ ଭାସ୍କର ରାସ୍ତାକଡ଼ରେ ବାଇକ୍ ଉପରେ ବସି ଏହାକୁ ଦେଖୁଥିବା ସମୟରେ ହଠାତ୍ ଏକ କାର୍ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାସ୍କରଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ କଂଗ୍ରେସର ଜଣେ ଟାଣୁଆ ଓ ଦକ୍ଷ ସଂଗଠକ ଭାବେ ପରିଚିତ ଥିଲେ। ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ଭଞ୍ଜନଗର ବ୍ଲକ୍ କଂଗ୍ରେସ ସଭାପତି ଓ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ଉପସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖି ପଚରାଉଚରା କରୁଛି।