ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜିଲେ କଂଗ୍ରେସ ନେତା ଭକ୍ତ ଦାସ, ମନ୍ତ୍ରୀଙ୍କ ଚରିତ୍ରକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ଶାଣିତ ଆକ୍ରମଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି । କଳାହାଣ୍ଡିରେ ଏକ ସଭାରେ ଭକ୍ତ କହିଛନ୍ତି, କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରାଯିବା ପଛରେ ଉଦ୍ଦେଶ୍ୟ କଣ ଥିଲା ତାହା ଲୋକଙ୍କ ଜାଣିବାର ଅଧିକାର ଅଛି । ବାରମ୍ବାର କାହିଁକି ସେହି ଅନୁଷ୍ଠାନକୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହାଛଡା ମୃତ ମମିତା, ଗୋବିନ୍ଦ ସାହୁ ଓ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଫୋନ କଲ ରେକର୍ଡ ସାର୍ବଜନୀନ କରିବା ଦରକାର ବୋଲି କହିଛନ୍ତି ଭକ୍ତ ଦାସ ।

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରି ତାଙ୍କୁ ତଦନ୍ତ ଭୁକ୍ତ କରିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଖାଲି ସେତିକି ନୁହେଁ ମମିତା ମେହେର, ଗୋବିନ୍ଦ ସାହୁ ଓ ମନ୍ତ୍ରୀଙ୍କ ଫୋନକଲ୍ ରେକର୍ଡ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହତ୍ୟା ମାମଲାରେ ୫-୬ଜଣଙ୍କର ସଂପୃକ୍ତି ରହିଛି । କଲ୍ ରେକର୍ଡ ଯାଞ୍ଚ କଲେ ସବୁ କଥା ପଦାକୁ ଆସିବ । ଏହାକୁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି ।

କେବଳ ସେତିକି ନୁହେଁ, ଦିବ୍ୟଶଙ୍କର ମିଶ୍ରଙ୍କୁ ଏୟାରଫୋର୍ସରେ କ୍ୟାପଟେନ୍ କରିବା ପାଇଁ ସେ ସାହାଯ୍ୟ କରିଥିଲେ ବୋଲି କହିଛନ୍ତି ଭକ୍ତ । ତେବେ ତାଙ୍କର ଏହି ଶାଣୀତ ଆକ୍ରମଣ, ଦିବ୍ୟଶଙ୍କରଙ୍କ ଅଡୁଆ ବଢ଼ାଇଥିବା ବେଳେ ବିଜେଡି କହିଛି, ଏପରି ଅଭିଯୋଗର କିଛି ଆଧାର ନାହିଁ, ଆଇନ ଅନୁଯାୟୀ କାର୍ଯ୍ୟାନୂୁଷ୍ଠାନ ନିଆଯାଉଛି । ସୂଚନାଯୋଗ୍ୟ ଯେ, ମମିତା ମେହେର ଓ ପରିବାରକୁ ନ୍ୟାୟ ଦେବା ପାଇଁ କଳାହାଣ୍ଡିବାସୀଙ୍କୁ ଆସନ୍ତା ୮ ତାରିଖରେ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।

ସମ୍ବନ୍ଧିତ ଖବର