ଟିକେଟ୍‌ ପାଇଁ କଂଗ୍ରେସ ନେତା ବିଜେଡି ମୁହାଁ!

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବହୁ କଂଗ୍ରେସ ନେତା ଓ ପୂର୍ବତନ କଂଗ୍ରେସ ନେତା ଏବେ ଟିକେଟ୍‌ ପାଇଁ ବିଜେଡି ମୁହାଁ ହେବାରେ ଲାଗିଛନ୍ତି। ଏହି କିଛିଦିନ ଧରି ସେମାନଙ୍କ ରାଜନୈତିକ ଗତିବିଧି ଓ ବିଜେଡି ନେତାଙ୍କ ସହ ସମ୍ପର୍କରୁ ଏହା ଅନୁମାନ କରାଯାଉଛି। ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କରାଯାଉଛି।

୨୦୧୯ ମସିହାରୁ କଂଗ୍ରେସ ନେତାଙ୍କ ବିଜେଡିରେ ଯୋଗଦାନ ପ୍ରକ୍ରିୟା ଆପାତତଃ ଆରମ୍ଭ ହୋଇଛି। ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ‌ଯୋଗେଶ ସିଂହ ସେହିବର୍ଷ ଫେବ୍ରୁଆରି ୯ ତାରିଖ ଦିନ କଂଗ୍ରେସ ହାତ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଜିଲ୍ଲା ରାଜନୀତିର ଗତିବିଧିକୁ ନିରୀକ୍ଷଣ କରୁଥିବା ବିଶେଷଜ୍ଞଙ୍କ ମତରେ, ‘ ବି‌ଜେଡିରେ ଯୋଗଦାନ ପୂର୍ବରୁ ଶ୍ରୀ ସିଂହ ଲଗାତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିଲେ। ଫଳରେ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସ ନିଲମ୍ବିତ କରିବା ପରେ ତାଙ୍କର ବିଜେଡିରେ ଯୋଗଦାନ ବାଟ ପରିଷ୍କାର ହୋଇଯାଇଥିଲା।’ ଶ୍ରୀ ସିଂହଙ୍କ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଡା. ପ୍ରଫୁଲ୍ଲ ମାଝୀ। ଡା. ମାଝୀ ତଳସରା ଆସନରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୧ ଡିସେମ୍ବର ୬ ତାରିଖରୁ ଦଳରୁ ସେ ଇସ୍ତଫା ଦେଇଥିଲେ। ଏହାର ୧୦ ଦିନ ପରେ, ଅର୍ଥାତ୍‌ ଡିସେମ୍ବର ୧୦ ତାରିଖରେ ବିଧିବଦ୍ଧଭାବେ ବିଜେଡିରେ ସାମିଲ ହୋଇଥିଲେ।

ପୂର୍ବରୁ ମିଶିଥିଲେ ଯୋଗେଶ, ପ୍ରଫୁଲ୍ଲ
ଯେକୌଣସି ସମୟରେ ମିଶିପାରନ୍ତି ଜର୍ଜ ଓ ପୁତ୍ର ରୋହିତ
ଏବେ ବିଧାୟକ ରାଜେନ, ପ୍ରଫୁଲ୍ଲ ଓ ପ୍ରଶାନ୍ତଙ୍କୁ ନେଇ ଚର୍ଚ୍ଚା

ବର୍ତ୍ତମାନ ଆଉ ଜଣେ ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଶ୍ରୀ ତିର୍କୀ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୨ ଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଗୋଟିଏଥର ସ୍ବାଧୀନ ପ୍ରାର୍ଥୀ ଓ ଗୋଟିଏଥର ସମତା କ୍ରାନ୍ତି ଦଳରୁ ଲଢ଼ି ବିଜୟୀ ହୋଇଥିଲେ। ସେ ପୂର୍ବରୁ ୨୦୦୨ରୁ ୨୦୦୬ ମସିହା ଯାଏ ବିଜେଡିରେ ମଧ୍ୟ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଟିକେଟ୍ ନ ମିଳିବାରୁ ଦଳରୁ ଇସ୍ତଫା ଦେଇଥିଲେ। ପ୍ରାୟ ୩ ବର୍ଷ ଧରି କଂଗ୍ରେସ ଜିଲ୍ଲା ସଭାପତି ଦାୟିତ୍ବ ତୁଲାଇବାପରେ ଗତ ଏପ୍ରିଲ ୧୬ ତାରିଖରେ ପଦବିରୁ ଇସ୍ତଫା ଦେବାସହ ଦଳତ୍ୟାଗ କରିଥିଲେ। ଏବେ ସେ ବିଜେଡିରେ ଯୋଗଦେବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ୨୦୧୯ ମସିହାରେ ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିବା ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ମଧ୍ୟ ପିତାଙ୍କ ପଦା ଅନୁସରଣ କରିବା ବିଜେଡି ଯୋଗଦେବେ ବୋଲି ଆଲୋଚନାରୁ ଜଣାପଡ଼ିଛି।

କେବଳ ଶ୍ରୀ ଜର୍ଜ ତିକୀ ନୁହନ୍ତି, କଂଗ୍ରେସର ୩ଜଣ ଯୁବନେତା ଏବେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ରହିଛନ୍ତି, ରାଜଗାଙ୍ଗପୁର ବିଧାୟକ ଡା. ସିଏସ ରାଜେନ ଏକ୍କା। ଅନ୍ୟ ୨ଜଣ ହେଉଛନ୍ତି, କଂଗ୍ରେସ ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନୀ ଓ ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର କଂଗ୍ରେସ ନେତା ପ୍ରଶାନ୍ତ ସେଠୀ। ବିଧାୟକ ରାଜେନ ଓ ରାଉରକେଲା ବିଜେଡି ଜିଲ୍ଲା ସଭାପତି ସାରଦା ପ୍ରସାଦ ନାୟକଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଏବେ ସାର୍ବଜନୀନ ହୋଇଛି। ରାଜଗାଙ୍ଗପୁର ବିଜେଡିର ପୁରୁଖା ନେତା ମଙ୍ଗଳା କିଷାନ ଦଳରେ ଏକପ୍ରକାର କୋଣଠେସା ହୋଇଥିବାରୁ ଏବଂ ମଙ୍ଗଳା ଓ ସାରଦାଙ୍କ ଗୋଷ୍ଠୀ ମଧ୍ୟରେ ‘ଅହିନକୁଳ ସମ୍ପର୍କ’ ଥିବାରୁ ଏହିଭଳି ସମ୍ଭାବନା ଦେଖାଦେଇଥିବା ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏତଦ୍‌ବ୍ୟତୀତ, ସୁନ୍ଦରଗଡ଼ର କଂଗ୍ରେସ ନେତା ତଥା ନିକଟ ଅତୀତରେ ରାଜ୍ୟ କଂଗ୍ରେସ ସମ୍ପାଦକ ନିଯୁକ୍ତି ପାଇଥିବା ପ୍ରଫୁଲ୍ଲ ସୁନ୍ୟାନୀ ମଧ୍ୟ ଏନେଇ ‌କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି।

ଉଲ୍ଲେଖଯୋଗ୍ୟ, ଶ୍ରୀ ସୁନ୍ୟାନୀ ୨୦୦୯ ମସିହାରେ ରଘୁନାଥପଲ୍ଲୀ ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢ଼ି ପରାଜିତ ହୋଇଥିଲେ। ନିର୍ବାଚନ ପରଠାରୁ ସେ ରଘୁନାଥପଲ୍ଲୀ ରାଜନୀତିରୁ ନିଜକୁ ଓହରାଇ ସୁନ୍ଦରଗଡ଼ର ରାଜନୀତିରେ ନିଜକୁ ସୀମିତ ରଖି ଆସୁଥିଲେ। ଆଗାମୀ ୨୦୨୪ ମସିହା ନିର୍ବାଚନକୁ ଆଖି ଆଗରେ ରଖି ‌ଏବେ ରଘୁନାଥପଲ୍ଲୀ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହିଛନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ରଘୁନାଥପଲ୍ଲୀ ଆସନରୁ ତିନି ତିନି ଥର ବିଧାୟକ ହୋଇଥିବା ସୁବ୍ରତ ତରାଇଙ୍କ କ୍ରମାଗତ ଅନୁପସ୍ଥିତ ରହୁଛନ୍ତି ଏବଂ ବି‌ଜେଡ଼ି ନେତୃମଣ୍ଡଳୀ ଏହି ନିର୍ବାଚନମଣ୍ଡଳୀ ପାଇଁ ବିକଳ୍ପ ଖୋଜୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ନେତା ଶ୍ରୀ ସୁନ୍ୟାନୀ ଓ ଶ୍ରୀ ସେଠୀ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ, ରାଜନୈତିକ ଗତିବିଧି ସବୁବେଳେ ପରିବର୍ତ୍ତନଶୀଳ ହୋଇଥିବାରୁ ଏ ସମ୍ପର୍କିତ ଆଲୋଚନାର ବାସ୍ତବତା କେ‌ତେ, ଆଗାମୀଦିନରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର