ସୁନ୍ଦରଗଡ଼: ଓଡ଼ିଶା କଂଗ୍ରେସର ପୁରୁଖା ନେତା ତଥା ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ବିଜେପି ଆଡ଼କୁ ଢଳୁଛନ୍ତି କି? ଶନିବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶହେବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ ଭବାନୀଭବନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟେଲ ଯୋଗଦେଇ ସଂଘକୁ ପ୍ରଶଂସା କରିବା ପରେ ସୁନ୍ଦରଗଡ଼ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ସ୍ଥାନୀୟ କଂଗ୍ରେସରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। କେହି ଖୋଲାଖୋଲି କିଛି କହୁନଥିଲେ ମଧ୍ୟ ଦଳର କିଛିନେତା ନାମ ଗୋପନ ରଖିବା ସର୍ତ୍ତରେ ବିଚାରଗତ ମତପାର୍ଥକ୍ୟ ଥିବା ଆର୍ଏସ୍ଏସ୍ ସଭାରେ ଶ୍ରୀ ପଟେଲଙ୍କ ଯୋଗଦାନକୁ ନେଇ ବିସ୍ମୟ ପ୍ରକାଶ କରିଛନ୍ତି। ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସଭାସମିତିରେ ଆର୍ଏସ୍ଏସ୍ ଓ ବିଜେପିକୁ କଡ଼ା ସମାଲୋଚନା କରିଆସୁଛନ୍ତି। ଦେଶର ଗଣତନ୍ତ୍ରକୁ ଧ୍ବଂସ କରିଦେବାକୁ ଉଦ୍ୟମ କରୁଥିବା ସଂଘ ଓ ବିଜେପି ସହ କଂଗ୍ରେସର ବୈଚାରିକ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଗାନ୍ଧୀ ଖୋଲାଖୋଲି କହୁଛନ୍ତି। ଏଭଳି ସ୍ଥିତିରେ ଦଳର ଜଣେ ଟାଣୁଆନେତା ଆର୍ଏସ୍ଏସ୍ ସଭାରେ ଯୋଗଦେବା ଭିନ୍ନ ବାର୍ତ୍ତା ଦେଉଥିବା ଆଲୋଚନା ହେଉଛି।
ଆର୍ଏସ୍ଏସ୍ର ବିନା ଆଶୀର୍ବାଦରେ ବିଜେପିକୁ ଯିବା କଷ୍ଟକର। ସେଥିପାଇଁ ଶ୍ରୀ ପଟେଲ ସଂଘ ସଭାରେ ଯୋଗଦେଇ ସେହି ବାଟଦେଇ ବିଜେପି ଯିବାକୁ ଯୋଜନା କରିଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ ଯେ ୧୯୪୬ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟେଲ ୧୯୬୪ରେ ଇନ୍ଦିରା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ ହୋଇଥିବା ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ୧୯୮୫ରେ ଜିଲ୍ଲା କଂଗ୍ରେସ ସଭାପତି, ୧୯୮୭ରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ୧୯୭୭ରେ ପ୍ରଥମଥର ପାଇଁ ସୁନ୍ଦରଗଡ଼ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ୧୯୮୦ରେ ଦ୍ବିତୀୟଥର ଓ ୧୯୯୫ରେ ତୃତୀୟଥର ପାଇଁ ବିଧାନସଭାକୁ ଯାଇଥିଲେ। ୧୯୯୫ ମାର୍ଚ୍ଚ ୨୨ରୁ ୧୯୯୬ ଜାନୁଆରି ୧୪ ଯାଏଁ ସେ ଓଡ଼ିଶା ବିଧାନସଭା ବାଚସ୍ପତି ଦାୟିତ୍ବ ତୁଲାଇଥିଲେ। ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୧୯୯୮ ଅଗଷ୍ଟ୨୪ରୁ ୧୯୯୯ ଫେବ୍ରୁଆରି ୧୭ ଯାଏଁ ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ତଳରେ ୧୯୯୯ ଡିସେମ୍ବର ୯ରୁ ୨୦୦୦ ମାର୍ଚ୍ଚ ୫ ଯାଏଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ହୋଇଥିଲେ। ତେବେ, ଏ ସଂପର୍କରେ ଶ୍ରୀ ପଟେଲଙ୍କୁ ପଚରାଯିବାରୁ ଚର୍ଚ୍ଚାକୁ ଖଣ୍ଡନ କରିବା ସହିତ ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି।