ଭୁବନେଶ୍ବର: ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ କଳାପତାକା ଦେଖାଇ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ନେତାଙ୍କୁ ଆଜି କଂଗ୍ରେସର ବରିଷ୍ଠ ନେତାମାନେ ଝାରପଡ଼ା ଜେଲ୍ରେ ଭେଟିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାସ, ପୂର୍ବତନ ଛାତ୍ର ସଭାପତି ୟାସିର ନଵାଜ, ଯୁବ କଂଗ୍ରେସ ନେତା ରଂଜିତ ପାତ୍ରଙ୍କ ସହ ଏକାଧିକ ନେତୃତ୍ବ ଜେଲ୍ରେ ଗିରଫ କର୍ମୀମାନଙ୍କୁ ଭେଟିଥିଲେ।
ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏଭଳି ଗିରଫଦାରୀକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଗାଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀଦଳର କଳା ପତାକା ପ୍ରଦର୍ଶନ କରିବାକୁ ସଂପୂର୍ଣ୍ଣ ଅଧିକାର ଅଛି। ରାଜ୍ୟରେ ମୋହନ ସରକାର ସେହି ଅଧିକାରକୁ ଛଡ଼ାଇ ନେଉଛନ୍ତି। ଯିଏ ଅନ୍ଧପୁଟୁଳି ବାନ୍ଧି ସରକାର ଚଳାଉଛନ୍ତି ତାଙ୍କୁ ଗଣତନ୍ତ୍ରର ନୀତି, ଆଦର୍ଶ ବିଷୟରେ ବୁଝାଇ ହେବ ନାହିଁ। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଅହିଂସା ଉପାୟରେ ଛାତ୍ର କଂଗ୍ରେସ ନେତାମାନେ ଆନ୍ଦୋଳନ କରିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯିବା ଅଗାଣତାନ୍ତ୍ରିକ। ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରି ଗିରଫ ହୋଇଥିବା ଛାତ୍ରନେତା ଉଦିତ ପ୍ରଧାନ ଓ ଅନ୍ୟ ନେତୃତ୍ବମାନଙ୍କୁ ସରକାର ତୁରନ୍ତ ଜେଲରୁ ମୁକ୍ତ କରନ୍ତୁ। ନଚେତ୍ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି।
ପୂର୍ବରୁ ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ ଝାରପଡ଼ା ଜେଲ୍ରେ ଗିରଫ ଛାତ୍ର ନେତାଙ୍କୁ ଭେଟିବା ସହ ଏପରି ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ବୋଲି ମତ ଦେଇଥିଲେ। ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରୀ ଭାଗବତ ଆଶାଳୀନ ମନ୍ତବ୍ୟ ଦେଇଥିଲେ। ଏପରିକି ୧୯୪୭ ମସିହାରେ ମିଳିଥିବା ଭାରତର ସ୍ବାଧୀନତାକୁ ସେ ସ୍ବୀକାର କରୁ ନାହାନ୍ତି। ଏହି ମନ୍ତବ୍ୟ ପରେ ଦେଶବ୍ୟାପୀ ଶ୍ରୀ ଭାଗବତଙ୍କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/04/mucSEX4IDjDeXe0ZFTdj.jpg)