କଂଗ୍ରେସ ନେତାଙ୍କୁ ନିର୍ମମ ହତ୍ୟା, କାଶୀପୁର ବ୍ଲକ୍ ପୂର୍ବତନ ଯୁବ ସଭାପତି ଥିଲେ

କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ସିକରଲଟା ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବ୍ଲକ୍‌ର ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ ୩ଜଣ ମିଶି ଟାଙ୍ଗିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ସମସ୍ତ ଅଭିଯୁକ୍ତ ଅଣ୍ଡିରାକଞ୍ଚ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଜମିଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ଚନ୍ଦ୍ରଗିରି ପଞ୍ଚାୟତର ସିକରଲଟା ଗ୍ରାମରେ କାଶୀପୁର ବ୍ଲକର ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଠିକାଦାର ଗଜେନ୍ଦ୍ର ନାଏକ(ବୁଲୁ)ଙ୍କ ଜମି ରହିଛି। ଶ୍ରୀ ନାଏକଙ୍କ ଜମି ନିକଟରେ ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ ଚାନ୍ଦଗିରି ଗ୍ରାମର ଭାଗ ଗଉଡ଼ଙ୍କ ଜମି ରହିଥିବା ବେଳେ ବହୁଦିନ ହେଲା ଉଭୟଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳ ପ୍ରାୟ ୧୦ଟାରେ ଶ୍ରୀ ନାଏକ ନିଜ ଚାଷ ଜମି ମରାମତି କରିବାକୁ ଯାଇଥିଲେ। ଜେସିବି ଦ୍ବାରା ଜମି ମରାମତି କରୁଥିବା ବେଳେ ଚାନ୍ଦଗିରି ଗ୍ରାମର ଭାଗ ଗଉଡ଼ ଓ ତାଙ୍କ ଦୁଇ ପୁଅ ସେଠାରେ ପହଞ୍ଚିଥିଲେ। ପରେ କୌଣସି କାରଣରୁ ଶ୍ରୀ ନାଏକ ଓ ଭାଗଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭାଗ ଓ ତାଙ୍କ ଦୁଇ ପୁଅ ଗଜେନ୍ଦ୍ରଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଶ୍ରୀ ନାଏକ ଗୁରୁତର ହୋଇପଡ଼ିଥିବା ବେଳେ ନିକଟରେ ଥିବା ତାଙ୍କ ପୁଅ ଓ କିଛି ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅପରପକ୍ଷେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଅଣ୍ଡିରାକଞ୍ଚ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏନେଇ ମୃତ ଗଜେନ୍ଦ୍ର ନାଏକଙ୍କ ପରିବାର କାଶୀପୁର ଥାନାରେ ଏତଲା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ କରିଛି।

କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ସନ୍ଦେହରେ ଅଭିଯୁକ୍ତ ଓ ମୃତକଙ୍କ ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଘଟଣାଟି ସମଗ୍ର କାଶୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର