ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ସେ କଥା ରାଜ୍ୟ ସରକାର ଲେଖୁନାହାନ୍ତି କାହିଁକି ? ପ୍ରଶ୍ନ ଉଠାଇଲେ ନରସିଂହ ମିଶ୍ର

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବି  ଉପରେ ନିଜର ମତ ରଖିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ହାଇକୋର୍ଟ ହେବ ନା ନାହିଁ ନିଷ୍ପତ୍ତି ରାଜ୍ୟ ସରକାର ନେବେ। କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ। ତା’ପରେ କେନ୍ଦ୍ର ସରକାର ଆଇନ ଆଣିବେ। ସଂସଦରେ ବିଲ୍ ପାସ ନ ହେବା ଯାଏ ସୁପ୍ରିମକୋର୍ଟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କ୍ଷମତା ନାହିଁ।

ଏହା ସତ୍ୟ ରାଜ୍ୟ ସରକାର ଚାହୁଁ ନାହାଁନ୍ତି। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଓଡ଼ିଶା ଆସିଥିବା ସମୟରେ କଂଗ୍ରେସ ଭବନରେ କହିଥିଲେ, ରାଜ୍ୟ ସରକାର ଯଦି ଆଇନ ଅନୁଯାୟୀ ଅନୁରୋଧ କରିବେ କେନ୍ଦ୍ରକୁ ତାହାଲେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ପଶ୍ଚିମ ଓଡ଼ିଶାରେ। ତାଙ୍କ ମନ୍ତବ୍ୟ ପରେ ତତ୍କାଳୀନ ଆଇନ ମନ୍ତ୍ରୀ କପିଲ ସିବଲ୍ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେବାକୁ କହିଥିଲେ।

ରାଜ୍ୟ ସରକାର ସବୁବେଳେ କହୁଛନ୍ତି, ଆମେ ପ୍ରସ୍ତାବ ଦେଉଛୁ। କିନ୍ତୁ କେଉଁ ଜାଗାରେ ସ୍ଥାୟୀ ବେଞ୍ଚ ହେବ ସେ କଥା ରାଜ୍ୟ ସରକାର ଲେଖୁନାହାନ୍ତି। ଅତଏବ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ଯେଉଁ ପରିସ୍ଥିତି ସମ୍ବଲପୁରରେ ସୃଷ୍ଟି ହେଲା ସେଥିପାଇଁ ରାଜ୍ୟ ସରକାର ଦାୟୀ।

କେନ୍ଦ୍ର ସରକାର କାହିଁକି ଶୋଇଛନ୍ତି? ମୁଖ୍ୟମନ୍ତ୍ରୀଙ୍କୁ ସାଂସଦମାନେ ଚିଠି ଲେଖିବା ଅପେକ୍ଷା ଭଲ ହୋଇଥାନ୍ତା ଯଦି କେନ୍ଦ୍ର ସରକାର ଲେଖିଥାନ୍ତେ। ପଶ୍ଚିମ ଓଡ଼ିଶାର ସବୁ ସାଂସଦ, ବିଧାୟକ ଚାପ ପ୍ରୟୋଗ କରିବା ଉଚିତ।’

ସୂଚନାଯୋଗ୍ୟ, ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ସୋମବାର ହିଂସାତ୍ମକ ରୂପ ନେଇଥିଲା। ଶୀର୍ଷ ଅଦାଲତଙ୍କ ଚେତାବନୀ ପ‌ରେ ବି ଆଇନଜୀବୀମାନେ କୋର୍ଟ ପରିସରରେ ପଶି ଭଙ୍ଗାରୁଜା କରିବା ସହ ଜିଲ୍ଲା ଜଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହା ସୁପ୍ରିମକୋର୍ଟଙ୍କୁ କ୍ଷୁବ୍ଧ କରିଥିଲା। ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏ ନେଇ ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ସମ୍ବନ୍ଧିତ ଖବର