ସମ୍ବଲପୁର : ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଂପାଦକ ତଥା ଆଇନ୍ଜୀବୀ ସତ୍ୟେନ୍ଦ୍ର ନାରାୟଣ ବହିଦାର (ହାଡ଼ୁ)ଙ୍କର ବୁଧବାର ଦିନ ୩ଟା ୩୦ରେ ମୁମ୍ବାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରାଲୋକ ହୋଇଯାଇଛି। ମହାନ୍ତିପଡ଼ା ନିବାସୀ ୫୯ ବର୍ଷୀୟ ଶ୍ରୀ ବହିଦାର ଗତ କେଇ ମାସ ହେଲା ଅସୁସ୍ଥ ଥିଲେ ଓ କିଛି ଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆ ଯାଇଥିଲା। ସେଠାରୁ ପୁଣି ମୁମ୍ବାଇ ସ୍ଥାନାନ୍ତର କରା ଯାଇଥିଲା। ତାଙ୍କର ପତ୍ନୀ, ଦୁଇ ପୁଅ ଅଛନ୍ତି। ଗୁରୁବାର ମୃତ ଶରୀର ସମ୍ବଲପୁର ପହଞ୍ଚିବା ପରେ ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ଜୀବନ ତମାମ କଂଗ୍ରେସ ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିବା ଶ୍ରୀ ବହିଦାର ୧୮ ବର୍ଷ ଧରି ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଥିଲେ। ସେ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ, ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ ସଂପାଦକ, ଗଂଗାଧର ମେହେର ମହାବିଦ୍ୟାଳୟର ସଭାପତି ଓ ଉପସଭାପତି, ସମ୍ବଲପୁର ବିଶ୍ବବିଦ୍ୟାଳୟର ସିନେଟ୍ ସଦସ୍ୟ ସମେତ ବିଭିନ୍ନ ଦଳୀୟ, ସାମାଜିକ, ଶ୍ରମିକ ସଂଗଠନର ପଦପଦବିରେ ରହିଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ବନମାଳୀ ବାବୁ, ଦୁର୍ଗା ଶଂକର ପଟ୍ଟନାୟକ ଏବଂ କୃପାସିନ୍ଧୁ ଭୋଇଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ। ଶ୍ରୀ ବହିଦାରଙ୍କ ବିେୟାଗରେ ସମ୍ବଲପୁରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବାଳ ଏବଂ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।
କଂଗ୍ରେସ୍ ନେତା ସତ୍ୟେନ୍ଦ୍ର ବହିଦାରଙ୍କ ପରଲୋକ
/sambad/media/post_attachments/wp-content/uploads/2020/01/congress-leader.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)