କଂଗ୍ରେସ ହାତ ଛାଡ଼ିଲେ ରାଜକିଶୋର‌, ତିର୍ତ୍ତୋ‌ଲରୁ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା

ଜଗତସିଂହପୁର/ ଟାଉନ୍ : ଜଗତ୍‌ସିଂହପୁର କଂଗ୍ରେସର ଜଣେ ବରିଷ୍ଠ ନେତା ରାଜକିଶୋର ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ। ଆଗାମୀ ତିର୍ତ୍ତୋଲ ଉପନିର୍ବାଚନରେ ସେ ଏହି ଦଳ ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ଶ୍ରୀ ବେହେରା ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ପକ୍ଷରୁ ସେ ତିର୍ତ୍ତୋଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଫଳରେ, ତାଙ୍କର ଇସ୍ତଫା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।।

ଆଜି ଜଗତସିଂହପୁର ସାରଦାମଣ୍ତପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ‘ମୋର ପେସା ଓକିଲାତିକିନ୍ତୁ ନିଶା ରାଜନୀତି । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ କାମ କରିବା ଲକ୍ଷ୍ୟ। ତେବେ, ୨୦୧୪ରୁ ୨୦୨୦ ଭିତରେ କଂଗ୍ରେସ ଦଳ ମୋତେ ଅଣଦେଖା କରିଥିବା ଅନୁଭବ କଲି। ସାଂପ୍ରତିକ ପରିସ୍ଥିତିରେ କଂଗ୍ରେସ ଦଳରେ ଆଭ୍ୟନ୍ତ୍ରରୀଣ ଗଣତନ୍ତ୍ରରେ ବିପଦ ଅଛି। ଏହାକୁ ଆଧାର କରି ଲୋକଙ୍କ ମତ ନେଇ ମୁଁ ନିଜେ ଚିନ୍ତା କଲି ଯେଉଁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ମଜବୁତ ଥିବ ସେହି ଦଳରେ ଯୋଗଦେବି।’ ତେବେ, ଆସନ୍ତାକାଲି ବିଜେପିରେ ଯୋଗ ଦେଉଥିବା ସମ୍ପର୍କରେ ଶ୍ରୀ ବେହେରା ‘ସମ୍ବାଦ’କୁୁ ସୂଚନା ଦେଇଛନ୍ତି।

ଶ୍ରୀ ବେହେରା ୨୦୦୨ରୁ ୨୦୦୭ ମସିହା ଯାଏ ଜଗତସିଂହପୁର ଦୁଇ ନମ୍ବର ଜୋନ୍ ଓ ୨୦୦୭ରୁ ୨୦୧୨ ଯାଏଁ ଚାରି ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ ଓ ୨୦୧୪ ମସିହାରେ ତିର୍ତୋଲ ନିର୍ବାଚନମଣ୍ତଳୀ ପାଇଁ ପ୍ରାର୍ଥୀ ହୋଇଥିଲେ। ଏହାପରେ ୨୦୧୯ ମସିହାରେ ଶ୍ରୀ ବେହେରାଙ୍କୁ ଟିକେଟ୍ ମିଳି ନଥିଲା। କଂଗ୍ରେସ ଦେବୀ ପ୍ରସାଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ଏବେ ଶ୍ରୀ ବେହେରା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେବା ଘଟଣା ତିର୍ତ୍ତୋଲ ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ ଘଟାଇବ। କୁହାଯାଉଛି ଯେ, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇଙ୍କ ବଦଳରେ ବିଜେପି ତାଙ୍କୁ ପ୍ରାର୍ଥୀ କରିବ। ଯଦି ଏହି ଅନୁମାନ ସତ ହୁଏ, ଲେ, ରମାକାନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ, କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ କହିଛନ୍ତି କଂଗ୍ରେସ ଦଳ ଏଥର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରି ସାରିଲାଣି। ଘୋଷଣା ବାକି ଅଛି। ରାଜକିଶୋର ବେହେରାଙ୍କୁ ଦଳ ଅନେକ ସୁଯୋଗ ଦେଇଛି। କିନ୍ତୁ ସେ ଦଳ ଛାଡ଼ିଛନ୍ତି। ତେବେ ଆଗାମୀ ଦିନରେ ସମୟ ହିଁ ସବୁ କିଛି କହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର