ଭୁବନେଶ୍ବର : ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଜଳେଶ୍ୱର ଗସ୍ତ ପୂର୍ବରୁ ପୁଲିସର ନଜର ବନ୍ଦୀରେ କଂଗ୍ରେସ ନେତା ସୁଦର୍ଶନ ଦାସ। ଅପରାହ୍ନ ୪ ଟାରୁ ଜଳେଶ୍ୱରର ନୂଆବଜାରସ୍ଥିତ ତାଙ୍କ ବାସଭବନରେ ପୁଲିସ ଜଗି ରହିଛି। ଏସଡିପିଓ ଦିଲ୍ଲୀପ ସାହୁ, ଜଳେଶ୍ୱର ଥାନା ଅଧିକାରୀ ରୋଜାଲିନୀ ବେହେରାଙ୍କ ସହିତ ଅନେକ ପୁଲିସ ଅଧିକାରୀ ଶ୍ରୀ ଦାସଙ୍କୁ ନଜର ବନ୍ଦୀରେ ରଖିଛନ୍ତି।

Advertisment

ସେହିପରି କଂଗ୍ରେସ ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ଟାଉନ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ପଦ୍ମଲୋଚନ ବେହେରା, ଗୋପାଳ କୃଷ୍ଣ ଜେନା ପ୍ରମୁଖଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।
୫-ଟି ସଚିବଙ୍କ ବାଲେଶ୍ବର ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ କେଉଁ ବୈଧାନିକ ପଦବିରେ ଜଳେଶ୍ୱର ଆସୁଛନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ଦାସ ପ୍ରଶ୍ନ କରିଥିଲେ। ସେ ମନ୍ତ୍ରୀଙ୍କ ତଳେ ନା ମନ୍ତ୍ରୀ ତାଙ୍କ ତଳେ ବୋଲି କଂଗ୍ରେସ ନେତା ଶ୍ରୀ ଦାସ ଆଗରୁ ପ୍ରଶ୍ନ କରିଥିଲେ। କଂଗ୍ରେସର ଏହି ପ୍ରତିବାଦକୁ ଭଣ୍ଡୁର କରିବା ପାଇଁ ପୁଲିସ ଆଜି ଶ୍ରୀ ଦାସଙ୍କୁ ନଜର ବନ୍ଦୀ ରେ ରଖିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆମ୍ୱଲିଅଠା ବାଇପାସଠାରୁ ନୂଆବଜାର ଛକ ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ଯଦି ମୁଖ୍ୟମନ୍ତ୍ରୀ ଗସ୍ତ ହୋଇଥାନ୍ତା ହୁଏତ ତାହା ଗ୍ରହଣୀୟ ହୋଇଥାନ୍ତା। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କର୍ମୀଙ୍କୁ ଏତେ ଭୟ କାହିଁକି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।