ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଅଭିଯୋଗ ‘ଟେଣ୍ଡର ଫିକ୍ସିଂ କରି କୋଟିଏ ନେଇଛନ୍ତି’

ଜିଲ୍ଲାପାଳ ଦାମୀ ଗାଡ଼ି ବି ନେଇଛନ୍ତି: ପ୍ରଦୀପ ମାଝି, କୌଣସି ଅନିୟମିତତା ହୋଇନାହିଁ: ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟଙ୍କ ବିରୋଧରେ ଆଜି ସଂଗିନ୍ ଅଭିଯୋଗ ଆଣିଛି କଂଗ୍ରେସ। ଟେଣ୍ଡର ଫିକ୍ସିଂ କରି ଏକ କୋଟି ଟଙ୍କାର ଲାଞ୍ଚ ଏବଂ ଦାମୀ ଗାଡ଼ି ଜିଲ୍ଲାପାଳ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଆଧାର କରି ଏହି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଏସଂପର୍କରେ ସମସ୍ତ ଅଭିଯୋଗକୁ ଖଣ୍ଡ କରିଛନ୍ତି।

ଶ୍ରୀ ମାଝିଙ୍କ ଅଭିଯୋଗ ହେଲା, ଗତ ମାର୍ଚ୍ଚ ମାସରେ ଲଘୁ ଖଣିଜ ସମ୍ବଳର ଟେଣ୍ଡର ହୋଇଥିଲା। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଜିଲ୍ଲାପାଳଙ୍କ ସଂପୃକ୍ତି ରହିଛି। ମାର୍ଚ୍ଚ ୨୦ତାରିଖ ସଂଧ୍ୟା ୫ଟାରେ ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଶେଷ ହୋଇଥିଲା। ସେହିଦିନ ହିଁ ଟେଣ୍ଡର ବାକ୍ସ କୋଷାଗାର ଷ୍ଟ୍ରଙ୍ଗରୁମ୍‌କୁ ଯିବା କଥା। କିନ୍ତୁ ୩ଦିନ ପରେ ୨୩ତାରିଖ ଦିନ ଅପରାହ୍ନ ‌ଗୋଟାଏ ୪୦ମିନିଟରେ ଷ୍ଟ୍ରଙ୍ଗରୁମ୍‌କୁ ଯାଇଥିଲା। ଏହି ୩ଦିନ ଟେଣ୍ଡର ବାକ୍ସ ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରଖି ଚଞ୍ଚକତା କରାଯାଇଥିଲା। ସି.ଏଚ ବେଣୁଗୋପାଳଙ୍କୁ ୭ଟି ପଥର ଖାଦାନ ପ୍ରଦାନ କରିବାକୁ ଏଭଳି କାରସାଦି ନିଜେ ଜିଲ୍ଲାପାଳ କରିଥିଲେ ବୋଲି ଶ୍ରୀ ମାଝି ଅଭିଯୋଗ କରିଥିଲେ। ସେହିପରି ପଥର ଖାଦାନ ହାତେଇଥିବା ସି.ଏଚ ବେଣୁଗୋପାଳ ମଧ୍ୟ ବ୍ୟାପକ ଅନିୟମିତତା କରିଥିବା ଶ୍ରୀ ମାଝି ଅଭିଯୋଗ କରିଥିଲେ। ଟେଣ୍ଡର ଆବେଦନ ପାଇଁ ଦାଖଲ ହୋଇଥିବା ସଲଭେନସି ଜମି ପେଡ଼ି-୧ ଏବଂ ଡଙ୍ଗର-୨ କସମର ହୋଇଥିବାରୁ ବଜାର ମୂଲ୍ୟ ଅତି କମ୍‌ ହେବ। କିନ୍ତୁ ତାହାର ମୂଲ୍ୟ ୧କୋଟି ୫୯ଲକ୍ଷ ଟଙ୍କା ଦର୍ଶାଯାଇଛି। ସେହିପରି ସଲଭେନ୍ସି ପାଇଁ ବେଣୁଗୋପାଳ ନିଜର ଘର ମୂଲ୍ୟ ୪କୋଟି ୮୯ଲକ୍ଷ ଦର୍ଶାଇଛନ୍ତି। ବାସ୍ତବରେ ସେହି ଘରର ମୂଲ୍ୟ ବହୁତ କମ୍‌ ହେବ। ୭ଟି ପଥର ଖାଦାନ ନିମନ୍ତେ ଏମଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟ କ୍ବାଣ୍ଟିଟି) ୨କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧ କୋଟି ଟଂକାର ସଲଭେନସି ସାର୍ଟିଫିକେଟ ଦେଇ ସମସ୍ତ କୁଆଁରିକୁ ଲିଜ ନେଇଛନ୍ତି। ଏଥିପାଇଁ ଜିଲ୍ଲାପାଳ ୧କୋଟି ଟଙ୍କା ନେଇଥିବା ଅଭିଯୋଗ କରାଯାଇଛି।

ମାର୍ଚ୍ଚ ୩୦ ତାରିଖ ଦିନ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପରଦିନ ୨୧ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଏମ୍‌ଜି‌ ହେକ୍ଟର ଗାଡି ଜଣେ ମହିଳାଙ୍କ ନାମରେ କିଣାଯାଇଛି। ବ୍ୟକ୍ତିଗତ ନମ୍ବର ପ୍ଲେଟ ଥିବା ଏହି ଗାଡ଼ିକୁ ଜିଲ୍ଲାପାଳ କେମିତି ବ୍ୟବହାର କରିଛନ୍ତି ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ଜିଲ୍ଲାପାଳମାନେ ସ୍କର୍ପିଓ, କ୍ରେଟା ଏବଂ ମହିନ୍ଦ୍ରା ମିରାଜ ଭଳି ଗାଡ଼ି ଭେଲିଡ୍‌ କଂଟ୍ରାକ୍ଟ ପରିମିଟ୍ ଥିଲେ ବ୍ୟବହାର କରିପାରିବେ। କିନ୍ତୁ ଏଥିରେ ବି ନିୟମକୁ ଉଲ୍ଲଂଘନ କରାଯାଇଛି। ସେହିପରି ମାଲକାନଗିରି ତହସିଲଦାର ଗୁଣନିଧି ନାୟକ ମାର୍ଚ୍ଚ ୩୦ ତାରିଖ ଦିନ ଛୁଟିରେ ଥିଲେ। ତଥାପି ଟେଣ୍ଡର ଖୋଲିବା ପ୍ରକ୍ରିୟାରେ ତାଙ୍କର ଦସ୍ତଖତ ରହିଛି। ତେଣୁ ରାଜ୍ୟ ସରକାର ପଥର ଖାଦାନ ଜିଲ୍‌କୁ ବାତିଲ କରିବା ସହ ଜିଲ୍ଲାପାଳଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ନିଲମ୍ବନ କରନ୍ତୁ। ପୂରା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଥିଲେ। ସରକାର ଯଦି ପଦକ୍ଷେପ ନ ନିଅନ୍ତି ତେବେ କଂଗ୍ରେସ ଆସନ୍ତା ୪ ତାରିଖ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଚେତାବନୀ ଦିଆଯାଇଥିଲା।

ସଂଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଥିଲେ ଜିଲ୍ଲାପାଳ ୱାଇ. ବିଜୟ। କୌଣସି ପ୍ରକାର ଅନିୟମିତତା ହୋଇ ନଥିବା ପ୍ରକାଶ କରି କଂଗ୍ରେସର ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ସରକାରୀ ନିୟମ ଅନୁଯାୟୀ ହିଁ ପଥର ଖାଦାନ ଲିଜ୍ ଦିଆଯାଇଛି।‌ ସେ ଛୁଟିରେ ଥିିବାରୁ ସୁରକ୍ଷା କାରଣରୁ ଟେଣ୍ଡର ବାକ୍ସକୁ ୩ଦିନ ପରେ କୋଷାଗାରକୁ ନିଆଯାଇଥିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର