ଭୁବନେଶ୍ବର: ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସଂରକ୍ଷଣ ବାବିରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ୨୪ ଘଣ୍ଟିଆ ଧାରଣା ଦିଆଯାଇଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଆଜି ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସଭବନରୁ ବାହାରି ଧାରଣାସ୍ଥଳ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କଂଗ୍ରେସ ପକ୍ଷରୁ ୨୪ ଘଣ୍ଟିଆ ଅହୋରାତ୍ର ଧାରଣା ଦିଆଯାଇଥିଲା। ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସତ୍ତ୍ବେ ଧାରଣାସ୍ଥଳରେ ପିସିସି ସଭାପତି ଶ୍ରୀ ଦାସ ଓ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଧାରଣାରେ ବସି ରହିଥିଲେ। ବିଳମ୍ବିତ ରାତି ଓ ପ୍ରବଳ ବର୍ଷା ସତ୍ତ୍ବେ କଂଗ୍ରେସ ନେତୃତ୍ବ ସଂରକ୍ଷଣ ପାଇଁ ଏହି ଧାରଣା ଦେଇଛନ୍ତି। ସଂରକ୍ଷଣ ଦାବିକୁ ନେଇ ରାଜଧାନୀରୁ ଗାଁ ଯାଏ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି, କେନ୍ଦ୍ର ସରକାର ତରବରିଆ ଭାବେ ଜାତି ଜନଗଣନା କରିବା ଲାଗି ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏହାର ସମସ୍ତ ଶ୍ରେୟ ରାହୁଲ ଗାନ୍ଧୀଙ୍କର। ରାହୁଲ ଗାନ୍ଧୀ କହି ଆସିଛନ୍ତି ଯାହାର ସଂଖ୍ୟା ଯେତେ ତାହାର ହକ୍‌ ସେତେ। ସେହି ନିୟମରେ ସେ ସଂସଦ ଭିତରେ ଓ ସଂସଦ ବାହାରେ ଜାତି ଜନଗଣନା ପ୍ରସଙ୍ଗ ଉପସ୍ଥାପନ କରିଆସୁଥିଲେ। ସେତେବେଳେ ଜାତି ଜନଗଣନାକୁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ନେତାମାନେ ବିରୋଧ କରିଥିଲେ।  ଦେଶକୁ ଭାଗ ଭାଗ କରିବା ପାଇଁ ଜାତି ଜନଗଣନା କରାଯାଉଛି ବୋଲି ବିଜେପି ନେତୃବୃନ୍ଦ ଅଭିଯୋଗ କରିଥିଲେ। ତେଣୁ ଆଜି ଯଦି ଜାତିଜନଗଣନା ସମ୍ଭବ ହୋଇଛି ତାହା କେବଳ ରାହୁଲ ଗାନ୍ଧୀଙ୍କ ସଂଗ୍ରାମ ପାଇଁ ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ଆଜି କଂଗ୍ରେସ ପକ୍ଷରୁ ୪ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଓବିସି ଏବଂ ଏସ୍‌ଇବିସି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରାଯାଇଛି। ସେହିପରି ସଂରକ୍ଷଣର ସୁଯୋଗ ହରାଇଥିବା ଓବିସି ଓ ଏସ୍‌ଇବିସି ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଏକ ସ୍ବତନ୍ତ୍ର ଅଭିଯାନ କରାଯାଇ ଏହାର କ୍ଷତି ଭରଣା କରିବା, ୨୦୧୫ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ବୈଷୟିକ ଓ ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ପ୍ରଦାନ, ସମ୍ବିଧାନର ଧାରା ୧୫ (୫) ଅନୁଯାୟୀ ଘରୋଇ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ପାଇଁ ଦାବି ହୋଇଥିଲା। ସେହିପରି ଏସ୍‌ସି-ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ଫାଇନାନ୍ସ କର୍ପୋରେସନର ପୁନରୁଦ୍ଧାର, ୫ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥାରେ ଏହି ବର୍ଗର ଉଦ୍ୟୋଗୀଙ୍କୁ ରିହାତି ଓ କମ୍‌ ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା ପାଇଁ ଦାବି ହୋଇଛି।

ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, ଓବିସି ବର୍ଗଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ବ୍ୟବହାରିକ ଶିକ୍ଷାକ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ସେହିଭଳି ଏସ୍‌ସି, ଏସ୍‌ଟିମାନଙ୍କୁ ମଧ୍ୟ ବୈଷୟିକ, ମେଡିକାଲ, ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି। ଏଣୁ ଏହି ବର୍ଗଙ୍କୁ ଉପେକ୍ଷା କରାଯାଇଛି ବୋଲି ଶ୍ରୀ ଲଲ୍ଲୁ ଅଭିଯୋଗ କରିଛନ୍ତି ।
ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସହପ୍ରଭାରୀ ରୋଜାଲିନା ତିର୍କି, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ଅମର ପ୍ରଧାନ, ସୁରେଶ କୁମାର ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ସମୀର ରାଉତରାୟ, ଅଶୋକ ବାସ, ରମେଶ ଜେନା, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ମଙ୍ଗୁ ଖିଲ, ପ୍ରଫୁଲ୍ଲ ପ୍ରଧାନ, ଲଲାଟେନ୍ଦୁ ମହାପାତ୍ର, ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ସସ୍ମିତା ବେହେରା, ପ୍ରକାଶ ମିଶ୍ର, ସୁଧାଂଶୁ ଦେଓ, ଜାନକୀ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଣଜିତ ପାତ୍ର, ୟାସିର ନଵାଜ, ଉଦିତ ପ୍ରଧାନ, ସନ୍ତୋଷ ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ମାନସ ମଲ୍ଲିକ, ସନ୍ତୋଷ ପ୍ରଧାନ, ଶାନ୍ତନୁ ସାହୁ, ମଧୁସ୍ମିତା ସେଠୀ, ସୁଦର୍ଶନ ଦାସ, ନଟବର ବାରିକ, ବାଙ୍କନିଧି ବେହେରା, ଅଶାକ ଦାସ, କନକଲତା ମଲ୍ଲିକ, ସଂଜୀବ ଗିରି, ଅଜୟ ସାମଲ, ରଳନୀ ମହାନ୍ତି, ହଳଧର ସେଠୀ, ନିରୁପମା ମହାପାତ୍ର, ମାନସ ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ମନୋଜ ରାଉତ, ଜ‌ୟକୃଷ୍ଣ ସୁବୁଦ୍ଧି, ମିଲନ ପଟ୍ଟନାୟକ, ପ୍ରସନ୍ନ ନାୟକ, ଗୋପନ ମାର୍ଥା, ନିରଞ୍ଜନ ନାୟକ, ପ୍ରଫୁଲ ଦାସ, ନିରୁପମା ପାତ୍ର, ରବି ମଲ୍ଲିକ, ଗୀତାଞ୍ଜଳି ମହାନ୍ତି, ଶିଳ୍ପୀଶ୍ରୀ ହରିଚନ୍ଦନ, ମନୋରଞ୍ଜନ ରାଉତରାୟ, ଦେବେନ୍ଦ୍ର ସାହୁ, କୁସୁମ ପ୍ରଧାନ, ସସ୍ମିତା ପଣ୍ଡା, ସାକା ସୁଜିତ କୁମାର ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ।