ସମ୍ବଲପୁର: କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୁରୁବାର ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସ୍ବାମୀଙ୍କ ନିର୍ଯାତନା ଓ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତିଙ୍କ ମାନସିକ ଅତ୍ୟାଚାର କାରଣରୁ ନେତ୍ରୀଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗରେ ସେ ଦର୍ଶାଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ବରିଷ୍ଠ କଂଗ୍ରେସ ନେତା ଆସଫ୍‌ ଅଲ୍ଲି ଖାନଙ୍କୁ ପୁଲିସ ଗୁରୁବାର ଅଟକ ରଖି ପଚରାଉଚରା କରିଥିଲା। ଶୁକ୍ରବାର ଆସଫ୍‌ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୧ ତାରିଖ କେସ୍‌ ନଂ ୪୫୪/୨୩ ରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଇପିସି ଧାରା ୧୦୯, ୩୦୯, ୩୨୩, ୩୪, ୩୫୪, ୩୫୪(ଏ), ୫୦୦, ୫୦୬ ଓ ୫୦୯ରେ ମାମଲା ରୁଜୁ କରିବା ସହ ଟାଉନ୍‌ ଥାନା ପୁଲିସ ଶୁକ୍ରବାର ଆସଫ୍‌ଙ୍କୁ କୋର୍ଟଚାଲାଣ କରିଛି।

Advertisment

ସୂଚନାଯୋଗ୍ୟ, ଗୁରୁବାର ସକାଳେ କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ବରି‌ଷ୍ଠ ନେତ୍ରୀ ତାଙ୍କ ଘରେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ବି ସେ ଚିକିତ୍ସାଧୀନ ଅଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଚିଠି ଲେଖି ସମ୍ବଲପୁର ଜିଲ୍ଲା ପୁଲିସର କିଛି ଅଧିକାରୀଙ୍କ ପାଖକୁ ପଠାଇଥିଲେ। ଉକ୍ତ ଚିଠିରେ ତାଙ୍କ ସ୍ବାମୀ ଓ କଂଗ୍ରେସ ନେତା ଆସଫ୍‌ଙ୍କ ନାଁରେ ଅଭିଯୋଗ କରିଥିଲେ। ୧୫ ବର୍ଷ ହେଲା ତାଙ୍କ ସ୍ବାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଆସଫ ବି ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଆସଫ୍‌ ତାଙ୍କୁ କିଛି ଭୁଲ୍ କାମ କରିବାକୁ କହିଥିଲେ। ସେ ମନା କରିଦେବାରୁ ଆସଫ୍‌ ତାଙ୍କୁ ବରବାଦ କରିଦେବାକୁ ଧମକ ଦେଇଥିଲେ। ଆସଫ୍‌ଙ୍କ କଥାରେ ପଡ଼ି ଦୁଇଜଣ କଂଗ୍ରେସ ନେତ୍ରୀ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ। ସେ ମରିଗଲେ ତାଙ୍କ ଶବକୁ ତାଙ୍କ ସ୍ବାମୀ କିମ୍ବା ତାଙ୍କ ସାବତ ପୁଅଙ୍କୁ ଛୁଇଁବାକୁ ନଦେବା ପାଇଁ ଚିଠିରେ ଲେଖିବା ସହ ଆସଫ୍‌ ଏବଂ ତାଙ୍କ ସ୍ବାମୀଙ୍କୁ କଡ଼ା ଦଣ୍ଡ ଦେବାକୁ ସେ ପୁଲିସକୁ ଅନୁରୋଧ କରିଥିଲେ। ଅନ୍ୟପଟେ ଅଭିଯୋଗ ଆଣିଥିବା ନେତ୍ରୀଙ୍କ ପାଇଁ ସେ ସଭାପତି ପଦ ଛାଡ଼ିଥିବା ଆସଫ୍‌ କହିବା ସହ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ।