ବ୍ରହ୍ମପୁର : ୨୦୧୪ ପାଇଁ ବିଜେଡି ଓ ବିଜେପି ନିଜ ନିଜ ସଂଗଠନ ମଜବୁତ କରିବା ପାଇଁ ସମସ୍ତେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନକୁ ସୁଦୃଢ଼ କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଦଳର ବରିଷ୍ଠ ନେତା ଉଦ୍ୟମ ଜାରି ରଖିଛନ୍ତି। ବିଜେପି କେନ୍ଦ୍ରୀୟ ନେତାଙ୍କ କର୍ଣ୍ଣମନ୍ତ୍ରକୁ ପାଥେୟ କରି ତାର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରୁଛି। କିନ୍ତୁ କଂଗ୍ରେସ ତରଫରୁ ସେଭଳି କିଛି ଆଖିଦୃଶିଆ ଉଦ୍ୟମ ନାହିଁ, କେହି ରାଜ୍ୟ କି କେନ୍ଦ୍ରୀୟ ନେତା ମଧ୍ୟ ଅନେକ ଦିନ ହେବ ଆସି ନାହାନ୍ତି। ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପାଇଁ ସଂଜୀବନୀ ସାଜିବ କିଏ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।
ଗଞ୍ଜାମ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ନିର୍ବାଚନମଣ୍ଡଳୀ ଦଖଲ କରିଥିଲା। ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ନେତା ରମେଶ ଚନ୍ଦ୍ର ଜେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ମଧ୍ୟ କଂଗ୍ରେସର ଜିଲ୍ଲା ସଭାପତି ଦାୟିତ୍ବରେ ରହିଛନ୍ତି। ଜିଲ୍ଲା କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ‘ବାପୁଜୀ ଆଶ୍ରମ ବ୍ରହ୍ମପୁରରେ। ହେଲେ ଜିଲ୍ଲା ସଭାପତି ବିଧାୟକ ଜେନାଙ୍କୁ ବ୍ରହ୍ମପୁର ପ୍ରବେଶ ମନା। ହାଇକୋର୍ଟଙ୍କ କଟକଣା ରହିଛି ବିନା କୋର୍ଟ ଅନୁମତିରେ ବ୍ରହ୍ମପୁର ସହରରେ ପ୍ରବେଶ କରି ପାରିବେନି। ଏଭଳି କଟକଣା ବିଧାୟକ ଜେନାଙ୍କ ପାଇଁ ସମସ୍ୟା ହୋଇଛି। ଜିଲ୍ଲା ସଭାପତି ଥାଇ ସେ ଜିଲ୍ଲା କାର୍ଯ୍ୟାଳୟକୁ ଆସିପାରୁ ନାହାନ୍ତି କି ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନାହାନ୍ତି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଦଳର ରାଜନୈତିକ ରଣନୀତି ବ୍ରହ୍ମପୁରରୁ ନିୟନ୍ତ୍ରଣ ହୋଇଥାଏ। କିନ୍ତୁ ଅଧିକାଂଶ ସମୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଲା। କଂଗ୍ରେସ ତରଫରୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭି.ଚନ୍ଦ୍ରଶେଖର ନାଇଡ଼ୁ ଓ ବିଧାୟକ ପ୍ରାର୍ଥୀ ହୋଇଥିବା ଲିଙ୍ଗରାଜ ଚୌଧୁରୀଙ୍କ ମଧ୍ୟ ବହୁଦିନ ହେଲା ନିର୍ବାଚନମଣ୍ଡଳୀରେ ଦେଖା ନାହିଁ। ସେମାନେ ରାଜନୀତିରେ ଆଉ ଚର୍ଚ୍ଚାରେ ନାହାନ୍ତି କହିଲେ ଚଳେ। ଏଭଳି ସ୍ଥିତିରେ କଂଗ୍ରେସ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କାହାର ଚେହେରାକୁ ନେଇ ଲଢ଼ିବ ବୋଲି ରାଜନୈତିକ ସମୀକ୍ଷକ ପ୍ରଶ୍ନ କରିଛନ୍ତି।
ଏକଦା ବ୍ରହ୍ମପୁରରେ କଂଗ୍ରେସର ବେଶ୍ ଦବ୍ଦବା ଥିଲା। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ତଥା ବାପୁଜୀ ଆଶ୍ରମ ସବୁ ବେଳେ ଚଳଚଞ୍ଚଳ ରହୁଥିଲା, ବରିଷ୍ଠ ନେତାଙ୍କ ଭିଡ଼ ଜମୁଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି, ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସର ନେତୃତ୍ବ ସଂକଟରେ। ଏଭଳି ସ୍ଥିତିରେ କଂଗ୍ରେସ ଗଞ୍ଜାମ ଜିଲ୍ଲାରେ କେଉଁ ରଣନୀତି ନେଇ ସାଧାରଣ ନିର୍ବାଚନ ମୈଦାନରେ ଓହ୍ଲାଉଛି ତାହା ଦେଖିବାକୁ ରହିଲା।