ଭୁବନେଶ୍ବର : କୋଭିଡ-୧୯ ମୁକାବିଲା ପାଇଁ ବିରୋଧୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଆସିଛନ୍ତି। ବିଧାନସଭା ଭିତରେ ଓ ବାହାରେ ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ସବୁ ପ୍ରକାର ସହଯୋଗ ଦିଆଯାଇଛି। କିନ୍ତୁ ୩ ମାସରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ବି କରୋନା ରୋଗ ନିୟନ୍ତ୍ରଣ ଓ ବେରୋଜାଗାରୀ ରୋକିବାରେ ସରକାର ସଫଳ ହୋଇନାହାନ୍ତି। ଏହାର ତ୍ବରିତ୍ ସମାଧାନ ପାଇଁ ମିଳିତ ଆଲୋଚନା ହେବା ଦରକାର। ଏଥିପାଇଁ ଆସନ୍ତା ଅଗଷ୍ଟ ମାସ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ମିଶ୍ର ଚିଠିରେ ଦର୍ଶାଇଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଯାହା ସବୁ ପଦକ୍ଷେପ ନେଇଛନ୍ତି, ସେଗୁଡ଼ିକରେ କୌଣସି ସୁଫଳ ମିଳିନାହିଁ। ଏବେସୁଦ୍ଧା ୭ ହଜାର ବ୍ୟକ୍ତି ରାଜ୍ୟରେ କରୋନା ଆକ୍ରାନ୍ତ ହେଲେଣି। ପ୍ରତ୍ୟେକ ଦିନ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ଅନ୍ୟରାଜ୍ୟମାନେ ମୁକାବିଲା କ୍ଷେତ୍ରରେ ଯେପରି ସଫଳତା ପାଇଛନ୍ତି ସେପରି ସଫଳତା ଆମକୁ ମିଳିନାହିଁ। ଏବେ ବି ବହୁତ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିନି। ଔଷଧ ଅଭାବରୁ ଗଞ୍ଜାମର ଗ୍ରାମାଞ୍ଚଳରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିଛି। ଫଳରେ ସେଠାକାର ଲୋକମାନେ ଔଷଧ ପତ୍ର ପାଉନାହାନ୍ତି। ଡାକ୍ତରମାନେ ପିଏଚ୍ସି ଓ ସିଏଚ୍ସିରେ ରହୁନାହାନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଔଷଧ ଦୋକାନୀ କିମ୍ବା ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏପରିକି ଭୁବନେଶ୍ବରରେ ଥିବା ଡାକ୍ତର ବି ରୋଗୀଙ୍କ ରକ୍ତଚାପ ମାପିବାକୁ ପଛଘୁଞ୍ଚା ଦେଉଛନ୍ତି। ବଲାଙ୍ଗୀରେ ବି ହସ୍ପିଟାଲ, ପିଏଚ୍ସି ଓ ସିଏଚ୍ସିରେ ଡାକ୍ତରଙ୍କର ଦେଖାମିଳୁନି।
ରାଜ୍ୟରେ ବେରୋଜଗାର ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ବିଶେଷକରି ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା କଥା କହିଲେ ନ ସରେ। ଚାଷୀମାନେ ଚାଷ ପାଇଁ ବିହନ ପାଉନାହାନ୍ତି କି ଉତ୍ପାଦିତ ଧାନକୁ ବିକ୍ରି କରିପାରୁନାହାନ୍ତି। ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହେଲାଣି। ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ନ ଥିବା ଯୋଗୁ ଲୋକମାନେ କୁଆଡ଼େ ଯାଆସ କରିପାରୁନାହାନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା ରସାତଳକୁ ଗଲାଣି। ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି। ଏହି କାରଣ ଯୋଗୁ ବିଧାନସଭା ଅଧିବେଶନ ଡାକିବା ଜରୁରୀ ହୋଇପଡ଼ିଛି। ଗତ ମାର୍ଚ୍ଚ ମାସରେ ଯେତେବେଳେ ବିଧାନସଭା ଅଧିବେଶନକୁ ଅଧାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରାଯାଇଥିଲା ସେତେବେଳେ ପୁଣି ଥରେ ଖୁବଶୀଘ୍ର ଅଧିବେଶନ ଡକାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Narasingha-Mishra.jpg)