ଦାରିଙ୍ଗିବାଡ଼ି ପୀଡ଼ିତାକୁ ଭେଟିଲେ ମହିଳା କଂଗ୍ରେସ ପ୍ରତିନିଧି ଦଳ : ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଦୁଇମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର : ଆଜି ମହିଳା କ˚ଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଦାରିଙ୍ଗିବାଡ଼ି ସେବାଶ୍ରମର ପ୍ରସବ କରିଥିବା ୮ମ ଶ୍ରେଣୀ ଛାତ୍ରୀଙ୍କୁ ଏମ୍‌କେସିଜି ହସ୍‌ପିଟାଲରେ ଭେଟିଥିଲେ। ଏହି ଅବସରରେ କଂଗ୍ରେସ ସଭାନେତ୍ରୀ ପୀଡ଼ିତାର ଉପଯୁକ୍ତ ଚିକିତ୍ସା ଓ ତା’ର ଥଇଥାନ ଓ କ୍ଷତିପୂରଣ ବାବଦ ୧୦ ଲକ୍ଷ ଟଙ୍କା ପ୍ରଦାନ ଦାବି କରିଥିଲେ। ସେହିପରି ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ଓ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ମଧ୍ୟ ଇସ୍ତଫା ଦାବି କରିଥିଲେ। ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହବ ବୋଲି ସେ ଚେତାବନୀ ଦେଇଥିଲେ।

ଏକ ବିବୃତିରେ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି, କର୍ତୃପକ୍ଷଙ୍କ ଅବହେଳାରୁ ସେହି ନାବାଳିକା ପ୍ରସବ କରିଥିବା ଶିଶୁର ମୃତ୍ୟୁ ହୋଇଯାଇଛି। ନାବାଳିକାର ଅବସ୍ଥା ମଧ୍ୟ ଭଲ ନାହିଁ। ପୀଡ଼ିତାକୁ ଭେଟିବା ପରେ ପ୍ରତିନିଧି ଦଳ ଗ˚ଜାମରେ ଆଇଜିଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ। ସେଥିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଠୋର ଦଣ୍ତ ଦେବା ସହ ସେବାଶ୍ରମର ପରିଚାଳିକା, ନିଯୁକ୍ତି ପାଇଥିବା ଡାକ୍ତର, ସେବାଶ୍ରମର କର୍ମକର୍ତାଙ୍କ ବହିଷ୍କାର ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ସ୍ବରୂପା ତ୍ରିପାଠୀ, ପ୍ରଣତୀ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, କୁସୁମ ପ୍ରଧାନ, ପ୍ରଭାବତୀ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା କ˚ଗ୍ରେସ କର୍ମକର୍ତାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର