ରାଜ୍ୟପାଳଙ୍କ ନିକଟରେ ଫେରାଦ ‌ଦେଲେ କଂଗ୍ରେସ : ‘ଚାଷୀଙ୍କ ଧାନ କିଣିବାରେ ସରକାରଙ୍କ ଟାଳଟୁଳ’

ତୁରନ୍ତ ସମାଧାନ ନ ହେଲେ ରାଜରାସ୍ତାରେ ଆନ୍ଦୋଳନ

ଭୁବନେଶ୍ବର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚାଷୀଙ୍କର ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଅଥଚ ସେସବୁ ଧାନ ସରକାର କିଣୁନାହାନ୍ତି। ଚାଷୀଙ୍କ ସବୁ ଧାନ କିଣିନେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ, ଅଥଚ ତାହା ପାଳନ ହେଉନାହିଁ। ଏପରି ଧାନ କିଣା ସମସ୍ୟା ନେଇ ଆଜି ପିସିସି କିଷାନ କଂଗ୍ରେସ କମିଟି ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ୧୧ ଜଣିଆ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଫେରାଦ ଜଣାଇଛି। ଚାଷୀଙ୍କ ବଳକା ଧାନକୁ ସରକାର ତୁରନ୍ତ ନ କିଣିଲେ ଆଗାମୀ ଦିନରେ ରାଜରାସ୍ତାରେ ଲଢ଼େଇ ହେବ ବୋଲି କିଷାନ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଟୋକନ୍‌ ଦିଆଯାଇଥିଲେ ବି କୋଟା ପୂରଣ ହୋଇଯାଇଥିବା କହି ଆଉ ସେମାନଙ୍କଠାରୁ ଧାନ କିଣାଯାଉନି। ଟୋକନ୍‌ ଦେବାବେଳେ ଆବଶ୍ୟକ ମୁତାବକ ଟାର୍ଗେଟ୍‌ ଦିଆଯାଉନାହିଁ। ଏବେ ମଣ୍ଡି ବନ୍ଦ ହେବାକୁ ବସିଲାଣି। ଏପରି ସ୍ଥିତିରେ ଚାଷୀମାନେ ଧାନ ବିକ୍ରି କରି ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରତି ବସ୍ତା ପିଛା ୫ରୁ ୭ କିଲୋ ଧାନ କଟନି ଛଟନି କରାଯାଉଛି। ଗତ ଏକ ମାସ ଧରି ପିସିସି କିଷାନ କଂଗ୍ରେସ କମିଟି ତରଫରୁ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ବାଲେଶ୍ବର, କୋରାପୁଟ ପ୍ରଭୃତି ଜିଲ୍ଲାଗୁଡ଼ିକରେ ଧାନ ମଣ୍ଡି ପରିଦର୍ଶନ କରିବା ସମୟରେ ଧାନର ଅଭାବୀ ବିକ୍ରି, କଟନି ଛଟନି, ଟୋକନ୍‌ ସମସ୍ୟା, ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନଙ୍କ ଠାରୁ ବଳକା ଧାନ ସଂଗ୍ରହ କରନ୍ତୁ। ଏହାସହିତ ଏମ୍‌ଏସ୍‌ପି ଉପରେ ରାଜ୍ୟ ସରାକର ୫୦୦ ଟଙ୍କା ବୋନସ୍‌ ଦେବାକୁ ସେ ଦାବି କରିଛନ୍ତି। ପ୍ରତିନିଧିମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ରାଉତ, ସାଇ ପ୍ରସାଦ ପାତ୍ର, ଯଶୋଦା ନନ୍ଦନ ସିଂହ, ସଦାନନ୍ଦ ଓଝା, ନିତ୍ୟାନନ୍ଦ ଗଣ୍ଡ, ରମେଶ ଦଳାଇ, ମନୋରଞ୍ଜନ ପ୍ରଧାନ, ସୁଶାନ୍ତ କୁମାର ସେଠୀ, ଗଙ୍ଗାଧର ଖଟୁଆ, ସୁଜିତ ନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର