ସେବାଦଳ କର୍ମୀଙ୍କୁ ନିରଞ୍ଜନଙ୍କ ପରାମର୍ଶ : ‘କଂଗ୍ରେସ ଇସ୍ତାହାରକୁ ନେଇ ଗାଁକୁ ଯାଅ’

ଭୁବନେଶ୍ବର : କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରକୁ ନେଇ ଗାଁକୁ ଗାଁ ଯାଇ ଘରେ ଘରେ ପହଞ୍ଚାଅ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ସେବାଦଳର ରାଜ୍ୟସ୍ତରୀୟ ପରିବର୍ଧିତ କାର୍ଯ୍ୟକାରୀ ସମ୍ମିଳନୀକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରି କର୍ମୀମାନଙ୍କୁ ଏଭଳି ପରାମର୍ଶ ଦେଇଥିଲେ।

ଅଖିଳ ଭାରତ କଂଗ୍ରେସ ସେବାଦଳ ସାଧାରଣ ସଂପାଦକ ଚନ୍ଦ୍ରପ୍ରକାଶ ବାଜପେୟୀ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୨୫ ତାରିଖରେ ସଭାପତି ରାହୁଲ ଗାନ୍ଧୀଙ୍କ ଆଗମନ କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସଂଗଠନକୁ ମଜଭୁତ୍‌ କରିବାକୁ ପରାମର୍ଶ ଦେଇଥିଲେ ଅନ୍ୟତମ ପ୍ରଭାରୀ ପୂର୍ଣ୍ଣ ଘୋଷ।

ସମାବେଶରେ ପ୍ରଦେଶ କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ବୀରେନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ସଂଗଠକ ମନୋଜ ଜେନା, ପିସିସି ଉପସଭାପତି ଅନନ୍ତ ସେଠୀ, ପ୍ରଫେସର କୈଳାସ ଆଚାର୍ଯ୍ୟ, ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରବକ୍ତା ପଦ୍ମାକର ଗୁରୁ ପ୍ରମୁଖ ସେବାଦଳର କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମତ ଦେଇଥିଲେ। ସେବାଦଳ ଭୁବନେଶ୍ବର ମୁଖ୍ୟ ସଂଗଠକ ରାଜକିଶୋର ଦାସଙ୍କ ନେତୃତ୍ବରେ ବହୁସଂଖ୍ୟକ କର୍ମୀ ବାଇକ୍‌ ରୢାଲୀରେ ଆସି ସମାବେଶରେ ପହଞ୍ଚିଥିଲେ ବୋଲି ମିଡିଆ ସଂଯୋଜକ ଏମ୍‌ଡି ଶାହାଦୁଲ୍ଲା ଜଣାଇଛନ୍ତି।

ସମ୍ବନ୍ଧିତ ଖବର