କଂଗ୍ରେସ ଇସ୍ତାହାର କମିଟିର ପ୍ରଥମ ବୈଠକ : ୱେବ୍‌ସାଇଟ୍‌ ଖୋଲି ମତାମତ ଲୋଡ଼ିବ କଂଗ୍ରେସ

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ କମିଟି ତରଫରୁ ସ୍ବତନ୍ତ୍ର ଭାବେ ୱେବ୍‌ସାଇଟ୍‌ ଖୋଲାଯିବ। ଏହା ଜରିଆରେ ରାଜ୍ୟବାସୀଙ୍କ ମତାମତ ଲୋଡ଼ାଯିବ। ସେହିପରି ଆଗାମୀ ଦିନରେ ଇସ୍ତାହାର କମିଟି ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶାରଦମାନଙ୍କୁ ସାମଲ କରି ସେମାନଙ୍କର ପରାମର୍ଶ, ପ୍ରସ୍ତାବ ଗ୍ରହଣ କରାଯିବ। ଉଭୟ ଜନସାଧାରଣ ଓ ବିଶାରଦମାନଙ୍କ ପରାମର୍ଶ ଆଧାରରେ ଇସ୍ତାହାରର ଦସ୍ତାବିଜ୍‌ ପ୍ରସ୍ତୁତ ହେବ ବୋଲି କମିଟିର ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି।

ଇସ୍ତାହାର କମିଟି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଇସ୍ତାହାରକୁ ଜନଇସ୍ତାହାର ଭାବେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକର ନିଷ୍ପତ୍ତ ସଂକ୍ରାନ୍ତରେ ସୂଚନା ଦେଇ ଅଧ୍ୟକ୍ଷ ଶ୍ରୀ ବେହେରା କହିଲେ ଯେ ରାଜ୍ୟର ସମସ୍ତ ପ୍ରାନ୍ତରୁ ବିଭିନ୍ନ ବର୍ଗର ଲୋକଙ୍କଠାରୁ ଇସ୍ତାହାର ପ୍ରସ୍ତୁତି ପାଇଁ ପରାମର୍ଶ ନେବ। ଏଥିପାଇଁ ଦଳୀୟ କର୍ମକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରିବେ। ୱେବ୍‌ସାଇଟ୍‌ ଜରିଆରେ ରାଜ୍ୟର ଯେ କୌଣସି ବ୍ୟକ୍ତି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ମତାମତ ଦେଇପାରିବେ। ଇସ୍ତାହାରରେ କୃଷି ଓ କୃଷକ, ଦଳିତ, ଆଦିବାସୀ, ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି, ମହିଳାଙ୍କ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଥିଲେ। ତେବେ କୃଷିଋଣ ଛାଡ଼, ଭତ୍ତା ବୃଦ୍ଧି, ଶିକ୍ଷକଙ୍କୁ ଗୋଟିଏ ଶ୍ରେଣୀଭୁକ୍ତ କରାଯିବା ଆଦି ସଂପର୍କରେ କଂଗ୍ରେସ ଦଳ ପୂର୍ବରୁ ନୀତିଗତ ନିଷ୍ପତ୍ତି ନେଇସାରିଥିବା ଶ୍ରୀ ବେହେରା କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସୁଦର୍ଶନ ଦାସ, ନଟବର ଖୁଣ୍ଟିଆ, ବିସ୍ମୟ ମହାପାତ୍ର, ଶ୍ୟାମସୁନ୍ଦର ହାଂସଦା, ଲିଆକତ୍‌ ଅଲ୍ଲୀ, ମେରୀ ସୁରୀନ୍‌ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର