କର୍ମୀଙ୍କୁ ନିର୍ବାଚନ ସଫଳତା ମନ୍ତ୍ର ଫୁଙ୍କିଲେ ଏ.ଚେଲା କୁମାର

ତିର୍ତ୍ତୋଲରେ ଆମେ ନିଶ୍ଚୟ ଜିତିବୁ: ନିରଞ୍ଜନ ପଟ୍ଟନାୟକ
ସଭା କରିବାକୁ ମିଳିଲାନି ଅନୁମତି: କର୍ମୀଙ୍କୁ ଭେଟି ଚାଲିଗଲେ

ଜଗତସିଂହପୁର ଟାଉନ୍/ବିରିଡ଼ି : ନିର୍ବାଚନ ଯେତିକି ପାଖେଇ ଆସୁଛି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉଷ୍ମତା ସେତିକି ବଢ଼ୁଛି। ପ୍ରତିଦିନ ବିଭିନ୍ନ ଦଳର ହେଭିୱେଟ୍ ରାଜ୍ୟ ତଥା ରାଷ୍ଟ୍ରସ୍ତରୀୟ ନେତା ମଇଦାନକୁ ଆସୁଛନ୍ତି । ଆଜି କଂଗ୍ରେସ ନିଜ ପଟୁଆର ନେଇ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ନିକଟକୁ ଆସିଥିଲା । ଦଳ ଗତ ନିର୍ବାଚନରେ ଦ୍ୱିତୀୟରୁ ତୃତୀୟକୁ ଖସି ଆସିଥିବା ବେଳେ ଏଥର କେମିତି ବିଜୟୀ ହେବ ସେନେଇ ଆଜି ସଫଳତାର ମନ୍ତ୍ର ଫୁଙ୍କିଛନ୍ତି ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର । ଖୁବ୍ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ସହ ନିଶ୍ଚୟ ତିର୍ତ୍ତୋଲରେ କଂଗ୍ରେସ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଦୀର୍ଘ ଦିନ ପରେ କଂଗ୍ରେସ ହେବିୱେଟ୍‌ଙ୍କ ଗ୍ରସ୍ତ କର୍ମୀ ଓ ନେତାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଥିଲା । ବିରାଟ ସଭାକରି କର୍ମୀ ସମ୍ମଳନୀ କରିବାକୁ ଆଗଭର ହେଉଥିବା କଂଗ୍ରେସର ଗତିରେ ରୋକ୍ ଲଗାଇଥିଲା ଜିଲ୍ଲା ପ୍ରଶାସନ । ସଭା କରିବାକୁ ପ୍ରଶାସନ ଅନୁମତି ଦେଇ ନଥିଲା । ଫଳରେ ସଭା ହୋଇ ପାରି ନଥିଲା । ହେଲେ ବିରିଡ଼ି ଭାନୁ ପ୍ରଭା ଆଇଟିଆଇରେ ତାମିଲନାଡୁ ସାଂସଦ ନିଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲ୍‌କା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପିସିସି ମିଡିଆ ସଂଯୋଜକ ଅଭିଶେଖ ମହାନନ୍ଦ, ଭୁବନେଶ୍ୱର ଜିଲ୍ଲା ସଭାପତି ମାନସ ଚୌଧୁରୀ, କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା, କଂଗ୍ରେସ ଆଶାୟୀ ପ୍ରାର୍ଥୀ ହିମାଂଶୁ ମଲ୍ଲିକ, ଦେବୀ ପ୍ରସାଦ ମଲ୍ଲିକ, ପ୍ରତିମା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ପହଞ୍ଚି କର୍ମୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ । ବିରିଡ଼ି ବ୍ଲକ୍‌ର ୨୧ ପଂଚାୟତ, ରଘୁନାଥପୁର ବ୍ଳକ୍‌ର ୧୯ ଓ ତିର୍ତ୍ତୋଲ ବ୍ଲକ୍‌ର ୨୧ଟି ପଂଚାୟତ ମୋଟ ୬୧ଟି ପଂଚାୟତରେ କଣ କଣ ସମସ୍ୟା ରହିଛି ସେନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ । ତିନି ଦିନ ଭିତରେ ବୁଥ୍ କମିଟି ଓ ପଂଚାୟତ କିମିଟି ଗଠନ କରି ରାଜ୍ୟର ୨୦ ବର୍ଷ ଓ କେନ୍ଦ୍ରର ୬ ବର୍ଷ ଶାସନର ବିଫଳତାକୁ ନେଇ ଏଥର କଂଗ୍ରେସ ଲୋକଙ୍କ ଘରେ ଘରେ ବୁଲିବ ବୋଲି ଆଲୋଚନା ହୋଇଛି । ବିରିଡ଼ି ପଂଚାୟତ ସମିତି ଅଧ୍ୟକ୍ଷ ପଦ୍ମନାଭ ଭୋଇ, ଜିଲ୍ଲା କଂଗ୍ରେସ ଉପ ସଭାପତି ତଥା ନିର୍ବାଚନ ପ୍ରଚାର କମିଟି ସଂଯୋଜକ ଲିଙ୍ଗରାଜ ମଲ୍ଲ, ପିସିସି ମୁଖପାତ୍ର ନାରାୟଣ ଜେନା, ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ କଂଗ୍ରେସର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଡ. ଏ ଚେଲା କୁମାର କହିଥିଲେ ଯେ , ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ଏକାଧିକ ଇଣ୍ଡଷ୍ଟ୍ରି କରିଛି । ଲୋକଙ୍କୁ ରୋଜଗାର ଦେଇଛି । କିନ୍ତୁ ବିଜେପି ଲୋକଙ୍କ ଠାରୁ ଜିବିକା ଛଡ଼ାଉଛି । ଓଡ଼ିଶାର ଭିତ୍ତିଭୂମୀର ବିକାଶ କଂଗ୍ରେସ ସମୟରେ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ପାରାଦୀପର ଆଇଓସିଏଲ୍ କଂଗ୍ରେସ ଆରମ୍ଭ କରିଥିଲା । ଏବେ ୨୦ ହଜାର ଲୋକ କାମ କରୁଛନ୍ତି । ହେଲେ ଓଡ଼ିଶାର ଲୋକ କାମ ପାଉ ନାହାନ୍ତି । ଟଙ୍କିକିଆ ଚାଉଳ ଓ ଗାଁ ଗାଁରେ ମଦ ବନ୍ୟା କରି ସ୍ଥାନୀୟ ସରକାର ଭୋଟ୍ ନେଉଛନ୍ତି । କେବଳ ଭୋଟ୍ ପାଇଁ ବିଜେଡି କାମ କରୁଛି । କଂଗ୍ରେସ କ୍ଷମତାକୁ ଫେରିଲେ ଲୋକଙ୍କ ସବୁ ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨୦ ବର୍ଷ ଶାସନ କାଳ ଭିତରେ ଏବଂ ବିଜେପିର ୬ ବର୍ଷର ଶାସନରେ ରାଜ୍ୟ ଓ ଦେଶ ବିପର୍ଯ୍ୟନ୍ତ ହୋଇଛି । ଚାଷୀ ହତାଶ ହୋଇଛନ୍ତି। ଯୁବକମାନେ ନିରାଶ ହୋଇଛନ୍ତି । ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରି ବିଜେଡି-ବିଜେପି ନିଜ ଫାଇଦାରେ ଲାଗି ରହିଛନ୍ତି । ଏ ପ୍ରଚାର ସର୍ବସ୍ୱ, ପ୍ରତିଶୁତି ଦେଇ ପ୍ରତାରିତ କରିବା ସରକାର । ଏକଥା ସାଧାରଣ ଲୋକ ନବୁଝିଲେ ଗଣତନ୍ତ୍ର ରହିବ କିପରି । ଏବେ ସମୟ ଆସିଛି ଏ ଦିଗରେ ତିର୍ତ୍ତୋଲବାସୀ ସଚେତନ ହେବା ଦରକାର । ଲୋକମାନଙ୍କର ସ୍ୱାର୍ଥ ରକ୍ଷା କରିବାକୁ କଂଗ୍ରେସ ଦଳକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ପ୍ରାର୍ଥୀ ଚୟନ ଉପରେ ମତ ଦେଇ, ତିର୍ତ୍ତୋଲ ପ୍ରାର୍ଥୀ ନିଷ୍ପତ୍ତି ହୋଇ ନାହିଁ । ଯିଏ ହେଲେ ଜଣେ ପ୍ରାର୍ଥୀ ହେବେ । ଉପଯୁକ୍ତ ଲୋକ ମତ ନେଇ ପ୍ରାର୍ଥୀ କରାଯିବ । ମନମୁଖୀ ପ୍ରାର୍ଥୀ କରାଯିବ ନାହିଁ । ଗତ ଥର ଭୋଟ୍ କମ୍ ଥିଲା କିନ୍ତୁ ଏଥର ଆମେ ଜିତିବୁ ବୋଲି କହିଛନ୍ତି ।

ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ କହିଛନ୍ତି, ଆମେ ଚାଷୀଙ୍କୁ ପ୍ରତାରଣା, ଯୁବକଙ୍କୁ ନିଯୁକ୍ତି ନାହିଁ, କରୋନାରେ ଉଭୟର ରାଜ୍ୟ ଓ କେନ୍ଦ୍ରର ବିଫଳତାକୁ ନେଇ ଲୋକଙ୍କୁ କହିବୁ । ପ୍ରତି ପଂଚାୟତରେ କମିଟି କରିଛୁ । ବ୍ଲକ୍ କମିଟି ୱାର୍ଡରୁ ୱାର୍ଡ ବୁଲୁଛନ୍ତି । ଦଳକୁ ମୁହଁ ମୋଡିଥିବା କଂଗ୍ରେସ କର୍ମୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଛୁ । ୨୦୦୯ ଓ ୨୦୧୪ ରେ ଯାହାକୁ ପ୍ରାର୍ଥୀ କରାଯାଇଥିଲା ସେ ନିଜେ କହିଥିଲେ ୨୦୧୪ ପରେ ରାଜନୀତିରୁ ଅବସର ନେବୁ । ଏବେ ବିଜେପି ଯାଇ ପ୍ରାର୍ଥୀ ହେଉଛନ୍ତି । ତାଙ୍କର ଧାରଣା ରହିଲା କଂଗ୍ରେସ ଦଳ ପାଖରେ ଟଙ୍କା ନାହିଁ ବିଜେପି ପାଖରେ ଟଙ୍କା ଅଛି ତେଣୁ ସେ ସେଠାକୁ ଚାଲି ଗଲେ । ସେ ବିଜେପିରୁ ପ୍ରାର୍ଥୀ ହେଲେ ତାଙ୍କ ଦଳରେ କିଭଳି ଗଣ୍ଡଗୋଳ ହେଉଛି ତାହା ସମସ୍ତେ ଜାଣନ୍ତି । ସେ ତାଙ୍କ ନିଜ ନାମରେ ଭୋଟ୍ ପାଇ ନଥିଲେ ଦଳ ନାମରେ ଭୋଟ୍ ପାଇଥିଲେ । ଭୋଟ୍ ପରେ ରେଜଲ୍ଟ ଦେଖିବେ । କଂଗ୍ରେସର କିଛି କ୍ଷତି ହେବ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ଯେ ଯୁବକଙ୍କୁ ବିଜେପି ଓ ବିଜେଡି ପ୍ରତାରଣା କରିଛନ୍ତି । ଗାଁରେ ପାଣି ମିଳୁନି ହେଲେ ସରକାର ମଦ ବନ୍ୟା କରି ମଦ ଦେଉଛନ୍ତି । ବିଜୁଳି ୧୨ ଘଂଟା କଟୁଛି । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ମେଡିକାଲରେ ଡାକ୍ତର ନାହାନ୍ତି । କେବଳ ହିରୋ ହିରୋଇନ୍‌ଙ୍କୁ ଆଣି ପ୍ରଚାର କରୁଛନ୍ତି । ବସନ୍ତ ବିଶ୍ୱାଳଙ୍କ ସମୟରେ ଯେଉଁ ବିକାଶ ଘଟିଛି ତାହା ୨୦ ବର୍ଷ ହେଲା ବନ୍ଦ ହୋଇ ଯାଇଛି । ବିଜେଡି ବିକାଶ ବଦଳରେ ବିନାଶ କରିଛି । ସବୁ ମୁଦ୍ଦଶକୁ ନେଇ କଂଗ୍ରେସ ମଇଦାନକୁ ଓହ୍ଲାଇବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର