ଭୁବନେଶ୍ବର: ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ସ୍ୱାର୍ଥପ୍ରତି ଉଦାସୀନ ରହିଛନ୍ତି। ଚଳିତମାସ ୧୪ ତାରିଖରେ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ତଫସିଲଭୁକ୍ତ ଅଞ୍ଚଳ ଅସ୍ଥାବର ସଂପତ୍ତି ହସ୍ତାନ୍ତର (ଓସାଟିପ) ନିୟମ ୧୯୯୬ରେ ସଂଶୋଧନ କରାଯାଇଛି। ଅଣ ଅନୁସୂଚିତ ଜନଜାତି ଜମି ହସ୍ତାନ୍ତର ପାଇଁ କ୍ୟାବିନେଟ୍‌ର ନିଷ୍ପତ୍ତି ଆର୍ଥିକ ସମସ୍ୟାକୁ ଆମନ୍ତ୍ରଣ କରିବ। ଏହି ନିଷ୍ପତ୍ତିକୁ ସଂପୂର୍ଣ୍ଣଭାବେ ରଦ୍ଦ କରବା ପାଇଁ ପିସିସି ଅନୁସୂଚିତ ଜାତି ଓ ଜନଜାତି ସେଲ୍‌ର ଏକ ପ୍ରତିନିଧି ଦଳ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।

Advertisment

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୦ ରେ ନିଆଯାଇଥିବା ଏଭଳି ପଦକ୍ଷେପକୁ ରାଷ୍ଟ୍ରପତି ପ୍ରତ୍ୟାଖାନ କରିଥିଲେ। ରାଜ୍ୟରେ ଆଦିବାସୀ ବର୍ଗଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ତୁରନ୍ତ ପେଷା ଆଇନ-୧୯୯୬କୁ ଲାଗୁ କରାଯାଉ। ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଲାଗୁ ହୋଇଥିବା ସଂରକ୍ଷଣ ନୀତିକୁ ତାଳଚେର ମେଡିକାଲ କଲେଜର ନିଯୁକ୍ତି ବେଳେ ସଂପୂର୍ଣ୍ଣ ଅଣଦେଖା କରାଯାଇଛି। ଫଳରେ ଉଚ୍ଚଶିକ୍ଷିତ ଆଦିବାସୀ ଯୁବବର୍ଗ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନିଷ୍ପତ୍ତିକୁ ତୁରନ୍ତ ଖାରଜ କରନ୍ତୁ ବୋଲି ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ୍‌ର ମୁଖ୍ୟ ଭୁଜବଳ ମାଝୀ, ବାଙ୍କନିଧି ବେହେରା, ସସ୍ମିତା ବେହେରା, ଅମିତା ବିଶ୍ୱାଳ, ଦୀପକ କୁମାର ମହାପାତ୍ର, ମୋହନ ହେମ୍ବ୍ରମ, ରମାକାନ୍ତ ନାୟକ, ତପନ ପ୍ରଧାନ ଓ ଅଭିଷେକ ଦଳବେହେରା ପ୍ରମୁଖ ସାମିଲ ହୋଇଥିଲେ।