ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମାଟିର ଝିଅଙ୍କୁ ଭୋଟ ଦେଲି। ତାଙ୍କ ବିଜୟରେ ମୋର ଗୋଟିଏ ଭୋଟ୍ ମିଶିଲେ ମୁଁ ଗର୍ବିତ ହେବି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳୀୟ ହୁଇପ୍ ଜାରି ହୋଇ ନଥାଏ। ଏଣୁ ମୁଁ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି। ଜଣେ ଓଡ଼ିଆ ହିସାବରେ ମୁଁ ଏହି ନିଷ୍ପତ୍ତି ନେଇଛି।
ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଏହି ଘଟଣାକୁ ପିସିସି ସଭାପତି ଶରତ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ। ତାପରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ। ଏଣେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଘଟଣା ଦୁର୍ଭାଗ୍ୟଜନକ। ସେ ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡିକୁ ଯାଉଛନ୍ତି, ସେଇଟା ବରିଷ୍ଠ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିପାରିବେ।
ସୂଚନାଯୋଗ୍ୟ,ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି।
ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ୍ ଦେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍ ଦେବେ। ସେହିପରି ଓଡ଼ିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍ ଦେବେ। ଓଡ଼ିଶାରେ ଭୋଟ୍ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି।
ସୂଚନାଯୋଗ୍ୟ ଯେ, ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପାଇଁ ବିଜେଡି ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବାବେଳେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ମନାଇଛି। ବିଜେପି ସାଂସଦ ଓ ବିଧାୟକମାନେ ଦ୍ରୌପଦୀଙ୍କୁ ଭୋଟ୍ ଦେବେ। କିନ୍ତୁ କଂଗ୍ରେସ ସାଂସଦ ଓ ବିଧାୟକ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ବିଧାୟକମାନଙ୍କ ଭୋଟ୍ ଯେପରି ନାକଚ ହେବନି ଏଥିପାଇଁ ଦଳ ପକ୍ଷରୁ ଏକ ମକ୍ ଭୋଟିଂ ମଧ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜଣେ ବିଧାୟକ ଭୋଟ ମୂଲ୍ୟ ହେଉଛି ୧୪୯, ଓ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/313b0872-4a48-463c-8d18-d80a611b9594.jpg)