ଦିବ୍ୟଶଙ୍କରଙ୍କ ଉତ୍ତର ରଖିବାକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ଉତ୍ତର ରଖିବାକୁ ବିରୋଧ କରି ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ କଂଗ୍ରେସର ସମସ୍ତ ବିଧାୟକ | ରାଜ୍ୟପାଳଙ୍କୁ ଭେଟିଲା ପରେ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ହତ୍ୟା ଅଭିଯୋଗ ରହିଛି ତେଣୁ ସେ ଆଜିର ମୁଲତବୀ ପ୍ରସ୍ତାବରେ ଉତ୍ତର ଦେବାଠାରୁ ଦୁରେଇ ରହିବାକୁ ମାନ୍ୟବର ବାଚସ୍ପତିଙ୍କୁ ଅନୁରୋଧ କରିବା ସତ୍ୱେ ବି ସେ ଆମ କଥା ଶୁଣିଲେ ନାହିଁ। ମନ୍ତ୍ରୀ ଦିବ୍ୟଶଙ୍କର ମୁଲତବୀ ପ୍ରସଙ୍ଗରେ ଅଂଶଗ୍ରହଣ କରିବେ ନାହିଁ ଆମେ ଦାବି କରିଆସିଛୁ।

ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ବିକ୍ରମ ଆରୁଖ ଉତ୍ତର ଦେଇପାରିବେ। କିନ୍ତୁ ଆମ ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି ବାଚସ୍ପତି। ଯାହାକୁ ଭିତ୍ତି କରି ଆମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲୁ ଓ ପରବର୍ତ୍ତୀ ସମୟରେ ଆସି ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରେଇଛୁ। ଆଜି ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଲିଖିତ ଚିଠି ରାଜ୍ୟପାଳଙ୍କୁ ପ୍ରଦାନ କରିବୁ |

ସୂଚନା ଥାଉ କି ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ କାର୍ଯ୍ୟକଳାପରେ ଓଡିଶା ଅଶାନ୍ତ ହୋଇ ପଡ଼ିଥିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାଵ ଆଲୋଚନା ସମୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକମାନେ ଦାବି କରିଥିଲେ | ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ କିଛି ଅଭିଯୋଗ ରହିଥିବାରୁ ସେ ଏହି ପ୍ରସଙ୍ଗରେ ଉତ୍ତର ନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିବାକୁ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ କହିବାରୁ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହଟଗୋଳ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ |

ସମ୍ବନ୍ଧିତ ଖବର